ଓଡ଼ିଶାର ୮୫ଟି ସହରରେ ୧୦୦ ପ୍ରତିଶତ ପାଇପ ଜଳ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି ମୁଖ୍ୟମନ୍ତ୍ରୀ, ଜଳସାଥୀଙ୍କ ଭୁମିକାକୁ ଭୂୟସୀ ପ୍ରଶଂସା

କେନ୍ୟୁଜ୍(ବ୍ୟରୋ):ରାଜ୍ୟର ୮୫ଟି ସହରରେ ଶତ ପ୍ରତିଶତ ପାଇପ ଜଳ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ । ଜଳସାଥୀମାନେ ସରକାର ଓ ଜନସାଧାରଣ ମଧ୍ୟରେ ବିଶ୍ୱାସର ସେତୁ ପାଲଟିଛନ୍ତି । ଜଳସାଥୀଙ୍କ ଯାତାୟାତ ସୁବିଧା ପାଇଁ ସେମାନଙ୍କୁ ସାଇକଲେ ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ ସ୍ଥିତ କନଭେନସନ ସେଣ୍ଟରରେ ଜଳସାଥୀଙ୍କ ପାଇଁ ଆୟୋଜିତ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ଯୋଗଦେଇ ଏହା ଘୋଷଣା କରିଛନ୍ତି । ଜଳସାଥୀଙ୍କ କାର୍ଯ୍ୟ ଦକ୍ଷତା ଦ୍ଵାରା ଜଳଯୋଗାଣର ଗୁଣବତ୍ତା ଓ ନିର୍ଭରଶୀଳତା ପ୍ରତିପାଦିତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସହରାଞ୍ଚଳ ପାନୀୟ ଜଳ ଯୋଗାଣ ଓ Water Treatment Plant କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମାଆ ଏବଂ ତୃତୀୟ ଲିଙ୍ଗର ଭଉଣୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନେ ମିଟର ରିଡିଂ, ଜଳର ମାନ ପରୀକ୍ଷା, ନୂତନ ସଂଯୋଗ ଓ ବେନିୟମ ସଂଯୋଗ ଦୂର କରିବା କ୍ଷେତ୍ରରେ କାମ କରୁଛନ୍ତି । ଏଥିପାଇଁ ସେମାନଙ୍କୁ ତାଲିମ ଦିଆଯାଇଛି । ବିକେନ୍ଦ୍ରୀକରଣ ଓ ଜନ ଭାଗିଦାରୀ (Community Partnership) ରାଜ୍ୟ ସରକାରଙ୍କ ସହରାଞ୍ଚଳ ପରିଚାଳନା ମଡେଲର ଦୁଇ ଆଖି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ୧୧୪ଟି ସହରରୁ ୮୫ଟି ସହରରେ ଶତପ୍ରତିଶତ ପାଇପ ଜଳଯୋଗାଣର ବ୍ୟବସ୍ଥା କରାଯାଇପାରିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୪୦ ଜଣ ଜଳସାଥୀ ୮.୪୦ ଲକ୍ଷ ଉପଭୋକ୍ତାଙ୍କ ଜଳଯୋଗାଣ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ଏ ବାବଦରେ ୬୭ କୋଟି ଟଙ୍କା ଜଳକର ଆଦାୟ କରିପାରିଛନ୍ତି । ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ଅନୁଭୂତି ବର୍ଣ୍ଣନା କରିବା ବେଳେ କୋହ ଓ ଆନନ୍ଦାଶ୍ରୁରେ ଭରି ଯାଇଥିଲା ଜଳସାଥୀ ମାଆମାନଙ୍କ ଆଖି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.