କୋରାପୁଟ କୋଟିଆରେ ୧୮ କୋଟିର ବିିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ: କୋରାପୁଟ ଜିଲ୍ଲାର ପଟାଙ୍ଗି ଅଞ୍ଚଳର କୋଟିଆ ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ କୋଟିଆ ପାଇଁ ୧୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ୫ କୋଟି ଟଙ୍କାର High Level ସେତୁ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମୋଟ୍‌ ୧୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାମ ଜାରି ରହିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ଖୁବଶୀଘ୍ର ସେ କୋଟିଆ ଅଞ୍ଚଳକୁ ଗସ୍ତ କରି ଲୋକଙ୍କୁ ଭେଟିବେ ।

କୋଟିଆ ଅଞ୍ଚଳକୁ ଆଦର୍ଶ ପଞ୍ଚାୟତ ଭାବରେ ଗଠନ କରାଯିବ । କୋଟିଆ ପଞ୍ଚାୟତରେ ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ, ପିଇବା ପାଣି, ବିଜୁଳି ଆଦି ସବୁ ସୁବିଧାର ବିକାଶ କରାଯାଇଛି । ଜୀବନଜୀବିକା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାଲକାନଗିରିରୁ ମୟୂରଭଂଜ, କୋରାପୁଟରୁ କଟକ -ସବୁ ଅଞ୍ଚଳର ବିକାଶ ପାଇଁ ସେ କାମ କରୁଛନ୍ତି । ବିକାଶର ସୁଫଳ ପ୍ରତି ପରିବାର ପାଖରେ ରାଜ୍ୟର ସବୁ କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ କାମ କରାଯାଉଛି । ଓଡ଼ିଶା ଆମର ମାଆ । ଓଡ଼ିଆ ଆମର ଭାଷା । ମହାପ୍ରଭୁ ଜଗନ୍ନାଥ ଆମର ବଡ଼ ଠାକୁର । ଜଗନ୍ନାଥ ସଂସ୍କୃତି ଆମର ସଂସ୍କୃତି । କୋରାପୁଟକୁ ଆମେ ଦ୍ଵିତୀୟ ଶ୍ରୀକ୍ଷେତ୍ର ବୋଲି କହିଥାଉ । ସ୍ୱାଧୀନତା ସଂଗ୍ରାମରେ କୋରାପୁଟ ଭୂମିକା ଉପରେ ଆଲୋକପାତ କରି ସେ ଏହି ଅବସରରେ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

କାର୍ଯ୍ୟକ୍ରମରେ ଯୋଗ ଦେଇ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କହିଥିଲେ ଯେ ମୁଖ୍ଯମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ବିକାଶ ମୂଳକ କାର୍ଯ୍ୟକ୍ରମ ଯୋଗୁ କୋଟିଆ ପଞ୍ଚାୟତରେ ବହୁତ ଉନ୍ନତି ଆସିଛି । କୋଟିଆ ପଞ୍ଚାୟତର ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ନିଜ ମତାମତ ରଖିଥିଲେ । କାର୍ଯ୍ୟକ୍ରମକୁ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ସଂଯୋଜନା କରିଥିଲେ । କୋଟିଆ ଅଞ୍ଚଳର ବିକାଶ ଉପରେ ଏକ ବୃତ୍ତ ଚିତ୍ର ପ୍ରଦର୍ଶନ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.