ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ରିପୁନାଥ ସେଠଙ୍କ ଦେହାନ୍ତ

ବରଗଡ଼ (କେନ୍ୟୁଜ୍‌) : ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ଦେହାନ୍ତ। ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା ତାଙ୍କ ପୁଅ ସୂଚନା ଦେଇଛନ୍ତି। ବରଗଡ଼ ଜିଲ୍ଲା ବରପାଲି ସହରର ଏକ ଘରୋଇ ଡାକ୍ତରଖାନାରେ ମାତ୍ର ୬୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରିପୁନାଥ। ୧୯୯୫ରୁ ୨୦୦୦ଯାଏ ବିଜେପୁର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ରିପୁନାଥ। ପରେ ଶକ୍ତି ଓ ଗଣଶିକ୍ଷା ମନ୍ତ୍ରୀ ଭାବେ ମନ୍ତ୍ରିମଣ୍ଡଳରେ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଶୋକର ଛାୟା ଖେଳିଯାଇଛି।

ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ରିପୁନାଥ ସେଠଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଶୋକବାର୍ତାରେ ରିପୁନାଥ ସେଠଙ୍କ ବିୟୋଗରେ ଦୁଃଖି ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି ।

ରିପୁନାଥ ସେଠ ୧୯୫୮ ମସିହା ଅକ୍ଟୋବର ମାସରେ ବରଗଡ଼ ଜିଲ୍ଲା ବରପାଲି ସହରର ନୂଆପଡା ଠାରେ ଜନ୍ମ ଗ୍ରହଣ କରିଥିଲେ। ସେ କଂଗ୍ରେସରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ସେ ରାଜୀବ ଗାନ୍ଧୀଙ୍କ ଅନୁପ୍ରାଣରେ ଅନୁମୋଦିତ ହୋଇ ସେ କଂଗ୍ରେସରେ ଯୋଗ ଦେଇଥିଲେ। ୧୯୯୨ ମସିହାରେ ବରପାଲି ଏନ୍ଏ‌ସିରେ ରିପୁନାଥ ଚେୟାରମ୍ୟାନ୍ ହୋଇଥିଲେ। ପରେ ୧୯୯୫ ମସିହାରେ ବିଧାନସଭା ନିର୍ବାଚନରେ ବିଜେପୁର ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚିତ ହୋଇଥିଲେ।୧୯୯୫-୨୦୦୦ ମସିହା ପର୍ଯ୍ୟନ୍ତ ରିପୁନାଥ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ଏହାସହ ଗତ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.