ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଆଜି ଭର୍ଚୁଆଲ୍‌ ବୈଠକରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ପୁରୀ(କେନ୍ଯୁଜ୍): ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଜି ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଭର୍ଚୁଆଲ୍‌ ବୈଠକରେ ରଥଯାତ୍ରା ସହ ସଂପୃକ୍ତି ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବ ଉପସ୍ଥିତ ରହିବେ। ଏହାସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ , ଜିଲ୍ଲାପାଳ, ଏସ୍‌ପି ଓ ବରିଷ୍ଠ ସେବାୟତମାନେ ମଧ୍ୟ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସେମାନଙ୍କ ମତ ରଖିବେ। ବିଶେଷକରି ରଥନିର୍ମାଣ, ରଥଟଣା, ସ୍ୱାସ୍ଥ୍ୟସେବା, ସୁରକ୍ଷା ବ୍ୟବସ୍ଥା, ପରିମଳ, ବ୍ୟବସ୍ଥା , ବିଦ୍ୟୁତ ଓ ଜଳଯୋଗାଣ ପ୍ରସ୍ତୁତି ଓ ଆୟୋଜନ ସମ୍ପର୍କରେ ଆଲୋଚନା ହେବ।

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପୂର୍ବରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। କୋଭିଡ କଟକଣା ଓ ୧୪୪ ଧାରା ଜାରି ହୋଇ ରଥଯାତ୍ରା ଅନୁଷ୍ଠିତ ହେଉଛି । ସମସ୍ତଙ୍କ ସହଯୋଗରେ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି । ବିଶେଷ କରି ରଥାରୁଢ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ସେବାୟତମାନେ ଅଯଥା ଗହଳି ନକରିବା ସହ ଶ୍ରୀଅଙ୍ଗ ଓ ଶ୍ରୀଭୂଜକୁ ଆଉଜି ଠିଆ ନହେବାକୁ ମଧ୍ୟ ଗଜପତି ଗୁରୁତ୍ୱାରୋପ କରିଛନ୍ତି । ଗତବର୍ଷ ପରି ଚଳିତବର୍ଷ ମଧ୍ୟ କେବଳ ସେବାୟତ ହିଁ ରଥ ଟାଣିବେ । ସେମାନଙ୍କ ପାଇଁ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ଃ କ୍ରିଷନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ଦେବୋତ୍ତର କମିଶନର, ଆଇନବିଭାଗ ଅତିରିକ୍ତ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଏପଟେ ଅଣସରର ଆଜି ହେଉଛି ଶେଷ ଦିନ। ଆସନ୍ତାକାଲି ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ଆଜିଠାରୁ ସେବାୟତଙ୍କ ଆରଟିପିସିଆର ଟେଷ୍ଟ ଆରମ୍ଭ ହେବ । ୩ ହଜାର ସେବାୟତଙ୍କ କରାଯିବ ଆରଟିପିସିଆର ଟେଷ୍ଟ । ଏବେ ଚାଲିଛି ସେବାୟତଙ୍କ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ । ଏପଟେ ପବିତ୍ର ଅକ୍ଷୟ ତୃତୀୟା ତିଥିରୁ ଆରମ୍ଭ ହୋଇଥିବା ରଥ ନିର୍ମାଣ କାମ ୯୫ ପ୍ରତିଶତ ସରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.