Below header

 ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଚିଠି, ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଢ଼ିବାକୁ ଆହ୍ବାନ

ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଚିଠି । ସାଢ଼େ ୪କୋଟି ଓଡ଼ିଶାବାସୀଙ୍କ ନିକଟକୁ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ । ରାଜ୍ୟର ବିକାଶକୁ ଶିଖରରେ ପହଞ୍ଚାଇବା ପାଇଁ ନିରନ୍ତର ଭଲପାଇବା ଓ ଅକୁଣ୍ଠ ବିଶ୍ବାସ ପାଇଁ କୃତଜ୍ଞତା ଜଣାଇଛନ୍ତି ।

ଭୁବନେଶ୍ୱର: ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଚିଠି । ସାଢ଼େ ୪କୋଟି ଓଡ଼ିଶାବାସୀଙ୍କ ନିକଟକୁ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ । ରାଜ୍ୟର ବିକାଶକୁ ଶିଖରରେ ପହଞ୍ଚାଇବା ପାଇଁ ନିରନ୍ତର ଭଲପାଇବା ଓ ଅକୁଣ୍ଠ ବିଶ୍ବାସ ପାଇଁ କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଆଉ କିଛି ମାସ ଭିତରେ ରାଜ୍ୟବାସୀ ଦେଶର ରାଜନୀତିରେ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି । ଆଗାମୀ ୧୦ ବର୍ଷ ଓଡ଼ିଶାର ଭବିଷ୍ୟତ ପାଇଁ ନିର୍ଣ୍ଣାୟକ ହେବ । ସମସ୍ତେ ମିଳିମିଶି ଏକ ସଶକ୍ତ, ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଢ଼ିବାକୁ ଆହ୍ବାନ କରିଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀ ଆହୁରି ଲେଖିଛନ୍ତି, ଗତ ୫ ବର୍ଷରେ 5Tମନ୍ତ୍ର ଓଡ଼ିଶାର ବିକାଶକୁ ନୂଆ ଦିଗ ଦେଇଛି । ରାଜ୍ୟ ତଥା ରାଜ୍ୟବାସୀଙ୍କ ସମୃଦ୍ଧିର ଏକ ମାଇଲଖୁଣ୍ଟ ଭାବେ ଇତିହାସ ଏହାକୁ ସବୁବେଳେ ମନେ ରଖିବ । କମ୍ ସମୟ ଭିତରେ ସ୍ବଚ୍ଛ ଶାସନ, ସମ୍ମିଳିତ ଉଦ୍ୟମ ଓ ବୈଷୟିକ ଜ୍ଞାନକୌଶଳର ସଫଳ ପ୍ରୟୋଗ ଆଣିଛି ବିରାଟ ରୂପାନ୍ତରଣ । ଯୁବଗୋଷ୍ଠୀଙ୍କୁ ସଶକ୍ତ କରିବା ଦିଗରେ ସ୍କିଲ୍ଡ ଇନ୍ ଓଡ଼ିଶା ଏକ ବ୍ରାଣ୍ଡରେ ପରିଣତ ହୋଇଛି । ସେମାନଙ୍କୁ ଆତ୍ମନିର୍ଭରଶୀଳ କରି ଆଗକୁ ବଢ଼ିବାକୁ ବାଟ ଦେଖାଉଛି ସ୍ବୟମ୍ ଯୋଜନା।

ମାତ୍ର ୧୫ ମାସରେ ରାଉରକେଲାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ୍ ନିର୍ମାଣ କରି ବିରଳ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି ସରକାର । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସାଜିଛି ପ୍ରତିଟି ଓଡ଼ିଆଙ୍କ ସ୍ବାସ୍ଥ୍ୟର ସୁରକ୍ଷା କବଚ । ମିଶନ ଶକ୍ତି ମାଆମାନଙ୍କୁ ସଶକ୍ତ କରିଥିବା ବେଳେ ଆମ ବ୍ୟାଙ୍କ, ଲକ୍ଷ୍ମୀ ଓ ଲାଭ ପରି ପଦକ୍ଷେପ ଗ୍ରାମ୍ୟ ଅର୍ଥନୀତିକୁ ଗତି ଦେଇଛି । ସ୍କୁଲ ରୂପାନ୍ତରଣ ଶିକ୍ଷାରେ ସମୃଦ୍ଧି ଆଣି ପିଲାମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ ଗଠନ କରୁଛି । ଚାଷୀଙ୍କ କଲ୍ୟାଣ ପାଇଁ ଆଶା ଓ ଭରସା ସାଜିଛି କାଳିଆ ଯୋଜନା। ମୁଖ୍ୟମନ୍ତ୍ରୀ ଆହୁରି ଲେଖିଛନ୍ତି, ବର୍ତ୍ତମାନ ଉଜ୍ଜ୍ବଳମୟ ଭବିଷ୍ୟତ ଦିଗରେ ଆଗକୁ ବଢୁଛି ।

୨୦୩୬ ସୁଦ୍ଧା ଓଡ଼ିଶାକୁ ସବୁ କ୍ଷେତ୍ରରେ ଦେଶର ଏକ ନମ୍ବର ରାଜ୍ୟ କରିବା ପାଇଁ ଦୃଢ଼ ସଂକଳ୍ପର ସହ ଆଗକୁ ବଢୁଛୁ । ଆଜିର ସମୟ ଓ ଆଗାମୀ ଦଶନ୍ଧି ଯୁବ ସମାଜର ଦଶନ୍ଧି ହେବାକୁ ଯାଉଛି । ବିକାଶର ଡୋରି ଯୁବ ସମାଜ ହାତରେ । ଯୁବଗୋଷ୍ଠୀଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଓ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ସର୍ବାଧିକ ପ୍ରାଥମିକତା । ରାଜ୍ୟର ଯୁବଗୋଷ୍ଠୀ ଗଢ଼ିବେ ନୂଆ ଓଡ଼ିଶା । ବିକାଶର ସବୁ କ୍ଷେତ୍ରରେ ଆଗକୁ ବଢ଼ି ଓଡ଼ିଶା ସାଜିବ ସମସ୍ତଙ୍କର ମାର୍ଗଦର୍ଶକ । ଏହି ସଂକଳ୍ପକୁ ଆହୁରି ସୁଦୃଢ଼ କରି ଏକ ନବୀନ ଓଡ଼ିଶା, ସଶକ୍ତ ଓଡ଼ିଶା ଗଢ଼ିବା ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.