ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ

ଯାଜପୁର ରୋଡ : ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ । ଏହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି । ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ୩ ଦିନର ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ଜେନାପୁର ଥାନା ପନ୍ତୁରୀ ଗାଁ ସୁର ମଲ୍ଲିକଙ୍କ ପତ୍ନୀ ପ୍ରସବ ବେଦନା ପାଇ ଗତ ୧୮ ତାରିଖରେ ଯାଜପୁର ରୋଡ ସିଏଚସିରେ ଭର୍ତ୍ତି ହୋଇଥିଲେ । ସେଠାରେ ସେ ଏକ ପୁତ୍ରସନ୍ତାନ ଜନ୍ମ ଦେଇଥିଲେ । ଶିଶୁଟି ବିଳମ୍ବିତ ରାତିରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ହେଲେ ତାଙ୍କୁ ସଠିକ ଚିକିତ୍ସା କରାଯାଇନଥିଲା । ସେହି ସମୟରେ ଡ୍ୟୁଟିରେ ଥିବା ଡାକ୍ତର ଦେବାଶିଷ ସାହୁ ଶିଶୁକୁ ନ ଦେଖି ଡାକ୍ତର ପୁଲକରଂଜନ ମଲ୍ଲିକଙ୍କୁ ଦେଖାଇବାକୁ କହିଥିଲେ।
ମାତ୍ର ସେହି ସମୟରେ ଡାକ୍ତର ପୁଲକରଂଜନ ମେଡିକାଲରେ ଉପସ୍ଥିତ ନଥିବାରୁ ଶିଶୁର ପରିବାର ଲୋକେ ଡାକ୍ତରଙ୍କ ଘରକୁ ଯାଇ ତାଙ୍କୁ ଡାକିଥିଲେ। ହେଲେ ସେ ଉଠିନଥିଲେ। ଆଜି ସକାଳୁ ପରିବାର ଲୋକେ ଶିଶୁଟିକୁ ନେଇ ସେହି ଡାକ୍ତରଙ୍କ ପାଖକୁ ଯାଇଥିବା ବେଳେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ। ତେବେ ଡାକ୍ତରଙ୍କ ଏଭଳି ଅବହେଳା ଯୋଗୁଁ ଶିଶୁପୁତ୍ରଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେପଟେ ସଂପୃକ୍ତ ଡାକ୍ତର ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଯୋଗଯୋଗ କରିଥିଲେ ମଧ୍ୟ କାହାରି ପ୍ରତିକ୍ରିୟା ମିଳିପାରିନାହିଁ।