କାଶୀପୁରରେ ଚିନ୍ତା ବଢ଼ାଇଛି ହଇଜା: ୧୦୦ରୁ ଅଧିକ ଲୋକ ସଂକ୍ରମିତ, ଆଜି ସ୍ଥିତି ସମୀକ୍ଷା କରିବେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାୟଗଡା(କେନ୍ୟୁଜ୍):କାଶୀପୁରରେ ହଇଜା ଚିନ୍ତା ବଢ଼ାଇଛି । ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଏଯାଏ ଶହେରୁ ଅଧିକ ଲୋକ ହଇଜାରେ ସଂକ୍ରମିତ ହେଲେଣି । ୭ ଜଣ ପ୍ରାଣ ହରାଇଛନ୍ତି । କାଶୀପୁର ବ୍ଳକର ଟିକିରି, ଦୁଡକାବାହାଲ, ମାଇକଞ୍ଚ , କୁଚେଇପଦର, କୋଡିପାରି, ଡଙ୍ଗାସିଲ ଓ ତଳଝିରି ପଞ୍ଚାୟତରେ ହଇଜା ସଂକ୍ରମଣ ବଢିଛି । ରାମଗୁଡା , ମୁସୁରୀପଦର , ଝୋଡିଆପଡା , କାଳିଆପଡା , ଡୁମ୍ବାଗୁଡା ଓ ଡେଙ୍ଗାଗୁଡା ଗାଁକୁ ମଧ୍ୟ ବ୍ୟାପିଛି ଝଡାବାନ୍ତି । ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗ ଟିମ୍‌ ସ୍ଥିତି ଉପରେ ନଜର ରଖିଛନ୍ତି ।

ଗତକାଲି ରାୟଗଡ଼ା ଗସ୍ତରେ ଯାଇ କାଶୀପୁରର ସମସ୍ତ ଡାକ୍ତରଖାନା ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର । ଆଜି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କାଶୀପୁର ଗସ୍ତ କରି ସ୍ଥିତି ସମୀକ୍ଷା କରିବେ । କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୨, ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୧, ଉତ୍କଳ ଆଲୁମିନାରେ ୨୮ ଏବଂ ଟିକିରି ଉତ୍କଳ ଆଲୁମିନା ୱାର୍ଡରେ ୬ଜଣ ଚିକିତ୍ସିତ ହେଉଛନ୍ତି ।

ଆଦିବାସୀ ଅଞ୍ଚଳ ହୋଇଥିବାରୁ ପିଇବା ପାଇଁ ଲୋକ ଝରଣା ପାଣି ସଂଗ୍ରହ କରିଥାଆନ୍ତି । ସେସବୁ ଉତ୍ସରୁ ପାଣି ବ୍ୟବହାର ନକରିବାକୁ କହିଛି ପ୍ରଶାସନ । ସ୍ଥିତି ଏବେ ଉଦବେଗଜନକ ନାହିଁ । ହଇଜା ସଂକ୍ରମଣ ଯେମିତି ନବଢିବ ସେଥିପ୍ରତି ଗାଁ ଗାଁରେ ସଚେତନତା କାର୍ଯ୍ୟକ୍ରମ ଚାଲିଛି । ଲୋକଙ୍କୁ ଯୋଗାଇ ଦିଆଯାଉଛି ବିଶୁଦ୍ଧ ପାନୀୟ ଜଳ । ଘରକୁ ଘର ଯାଇ ଆବଶ୍ୟକ ଔଷଧ ଦେଉଛନ୍ତି ଡାକ୍ତରୀ ଟିମ୍‌ । ବାହାରୁ ବିଶେଷଜ୍ଞ ଡାକ୍ତର କାଶୀପୁର ଆସିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.