Below header

ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଡାକୋଟା ବିମାନକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବିଜୁ ବାବୁଙ୍କର ଅଦ୍ୟମ ସାହସ ଓ ଅଭୂତପୂର୍ବ ବୀରତ୍ୱର ମୂକସାକ୍ଷୀ ଏହି ବିମାନ ପାଇଛି ନୂଆ ଜୀବନ । କୋଲକାତା ବିମାନବନ୍ଦରରୁ ଅଣାଯିବା ପରେ ଡାକୋଟାର ନବକଳେବର ହୋଇଛି ।

ଭୁବନେଶ୍ବର(କେନ୍ୟୁଜ୍): ବିଜୁ ଜୟନ୍ତୀରେ ଲୋକାର୍ପିତ ହେଲା ପ୍ରବାଦ ପୁରୁଷଙ୍କ ସ୍ମୃତିର ଡାକୋଟା ବିମାନ । ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଏହାକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ବିମାନବନ୍ଦରରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ ହେଉଛି ଡାକୋଟା ବିମାନ । ବିଜୁ ବାବୁଙ୍କର ଅଦ୍ୟମ ସାହସ ଓ ଅଭୂତପୂର୍ବ ବୀରତ୍ୱର ମୂକସାକ୍ଷୀ ଏହି ବିମାନ ପାଇଛି ନୂଆ ଜୀବନ । କୋଲକାତା ବିମାନବନ୍ଦରରୁ ଅଣାଯିବା ପରେ ଡାକୋଟାର ନବକଳେବର ହୋଇଛି ।

ବିମାନବନ୍ଦର ପରିସରର ଟର୍ମିନାଲ୍‌-୧ ଆଗରେ ୧.୧ ଏକର ଜାଗାରେ ଶୋଭା ପାଉଛି ବିଜୁଙ୍କ ଡାକୋଟା । ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ଓ ଲୋକଙ୍କ ପାଇଁ ଏହା ଅନ୍ୟତମ ଆକର୍ଷଣ ପାଲଟିବ । ଡାକୋଟା ବଖାଣୁଛି ଭୂମିପୁତ୍ରଙ୍କର ବୀରତ୍ୱର କାହାଣୀ । ନୂଆପିଢ଼ି ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଜୀବନୀ, ଇଣ୍ଡୋନେସିଆରେ ତାଙ୍କର ବୀରତ୍ୱ ଗାଥା ବାବଦରେ ଜାଣିପାରିବେ । ଡାକୋଟା ବିମାନ ବିଜୁ ପଟ୍ଟନାୟକଙ୍କ ଦୁଃସାହସିକ ବିମାନ ଚାଳନା ଓ ଅଭୂତପୂର୍ବ ବୀରତ୍ୱର ଗାଥା ଜନମାନସରେ ଚିର ସ୍ମରଣୀୟ କରି ରଖିବ ।

ଏହା ଯୁଗ ଯୁଗ ଧରି ସମସ୍ତଙ୍କୁ ପ୍ରେରଣା ଦେବ ଓ ଭବିଷ୍ୟତର ବଡ଼ ସ୍ୱପ୍ନ ଦେଖିବା ପାଇଁ ପ୍ରୋତ୍ସାହିତ କରିବ । କୋଲକାତାରୁ ଆଣିବା ପରେ ଭୁବନେଶ୍ୱର ବିମାନବନ୍ଦର ପରିସରରେ ଥିବା ସରକାରୀ ହ୍ୟାଙ୍ଗରରେ ଏହାର ମରାମତି କରାଯାଇଥିଲା । ଏରୋ ସ୍ପେସ୍‌ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସଂସ୍ଥା ଦ୍ୱାରା ମାତ୍ର ୪୫ ଦିନରେ ଡାକୋଟାକୁ ସମ୍ପୂର୍ଣ୍ଣ ଖଞ୍ଜାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.