Below header

ଆକାଶ ପାଠକଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ୍, କୋର୍ଟରେ କରାଯିବ ଆବେଦନ

ଭୁବନେଶ୍ବର: ଆକାଶ ପାଠକଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ । ଏଥିପାଇଁ କୋର୍ଟରେ ଆବେଦନ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର । ଆକାଶଙ୍କ ନାଁରେ ସ୍କାଏ କିଙ୍ଗ ଟ୍ରାଭେଲ ସଂସ୍ଥା ପକ୍ଷରୁ ଭୁବନେଶ୍ୱର ଖାରବେଳନଗର ଥାନାରେ ଠକେଇ ଅଭିଯୋଗ ପରେ ପୋଲିସ ପକ୍ଷରୁ ତନାଘନା ତଦନ୍ତ କରାଯାଉଛି । ସ୍କାଏ କିଙ୍ଗର ମ୍ୟାନେଜିଂ ପାର୍ଟନର ଥିବା ପ୍ରଭାସ କୁମାର ଚୌଧୁରୀ ଠକେଇ ଅଭିଯୋଗ ଆଣିଥିଲେ ।

ସେ ଏତଲାରେ ଦର୍ଶାଇଛନ୍ତି, ଅଭୟ ଓ ଆକାଶ ତାଙ୍କ ଜରିଆରେ ଟ୍ରେନ୍‌, ବିମାନ ଓ ଚାର୍ଟର ପ୍ଲେନ୍‌ ଟିକେଟ ବୁକିଂ କରିଥିଲେ । ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ମ୍ୟାନେଜିଂ ଡିରେକ୍ଟର କହିବା ସହ ମେଲ୍‌ ଓ ଅନ୍ୟାନ୍ୟ ଜାଲ କାଗଜପତ୍ର ଦେଇଥିଲେ । ଜୁନ ମାସରୁ ୨ କୋଟି ୭୮ ଲକ୍ଷ ୩୯ ହଜାର ଚାର୍ଟର ପ୍ଲେନ୍‌ ଓ ହୋଟେଲ ବୁକିଂ କରିଥିଲେ । ଏବାବଦରେ ୨ କୋଟି ୧୩ ଲକ୍ଷ ୨୨ ହଜାର ୮୫୪ ଟଙ୍କା ଦେଇଛନ୍ତି । ବାକି ୬୫ ଲକ୍ଷ ୧୬ ହଜାର ୨୩୩ ଟଙ୍କା ଦେଉନାହାନ୍ତି । ଏନେଇ ସେମାନଙ୍କ ବିରୋଧରେ ଆଇପିସିର ଧାରା ୪୧୯, ୪୨୦, ୪୬୮, ୪୭୧, ୫୦୬ ଓ ୩୪ରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ ।

ଆକାଶଙ୍କ ଦସ୍ତଖତ ନିଆଯାଇ ଏହାକୁ ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ପଠାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି । ପୂର୍ବରୁ ପ୍ରଥମ ପର୍ଯ୍ୟାୟ ତଦନ୍ତ ପ୍ରକ୍ରିୟାରେ କମିଶନରେଟ ପୋଲିସ ପକ୍ଷରୁ ଆକାଶଙ୍କ ସଂପର୍କରେ ଟାଟାକୁ ଚିଠି ଲେଖାଯାଇଥିଲା । ଆକାଶ ଟାଟା ମୋଟର୍ସ କର୍ମଚାରୀ ନୁହନ୍ତି ବୋଲି କଂପାନୀ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.