ଯାତ୍ରୀ ନେବା ପାଇଁ ବସ୍‌ ଭିତରେ ପ୍ରତିଯୋଗିତା, ଦୁର୍ଘଟଣାକୁ ରୋକିବ କିଏ ?

ଟ୍ରାଫିକ୍‌ ନିୟମ କଡ଼ାକଡ଼ି ହେଲା । ଦୁଇ ଚକିଆରୁ ୧୨ କି ୧୪ ଚକିଆ ଯାନବାହନ ଉପରେ ଚଢ଼ାଉ ବି ହେଲା । ଏବେ ସିନା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଟିକେ ଯାଞ୍ଚ କୋହଳ ପଡ଼ିଛି ହେଲେ ନିୟମ ତ ନିୟମ । ଆଜି ନହେଲେ କାଲି ଲାଗୁ ହେବ ଏବଂ ଏହାକୁ ସମସ୍ତେ ମାନିବାକୁ ବାଧ୍ୟ ହେବେ । ୟଙ୍ଗ୍‌ ବ୍ରିଗେଡ୍‌ଙ୍କ ଭୟଙ୍କର ଡ୍ରାଇଭିଂ ମଧ୍ୟ ବିପଦ ସୃଷ୍ଟି କରୁଛି । ତେଣୁ ତା ଉପରେ ମଧ୍ୟ ପୋଲିସ୍‌ ନଜର ରଖିଛି । ହେଲେ ଏସବୁ ଭିତରେ ଆଉ ଗୋଟିଏ କଥାକୁ ଦୃଷ୍ଟି ଦିଆଯାଇ ନାହିଁ । କଟକ ଓ ଭୁବନେଶ୍ୱର ଭିତରେ ଯାତାୟାତ କରୁଥିବା ବସ୍‌ଗୁଡ଼ିକର ହାବଭାବ ବା ସେମାନଙ୍କ ଗାଡ଼ି ଚାଳନାକୁ ଅନେକ ସମୟରେ ପୋଲିସ୍‌ ଗୁରୁତ୍ୱ ଦେଉନାହିଁ । ସେମାନଙ୍କ ବେପରୁଓ୍ଵା ଗାଡ଼ି ଚାଳନା ଏବଂ ଯାତ୍ରୀ ନେବା ପାଇଁ ପ୍ରତିଯୋଗିତା ଅନେକ ସମୟରେ ସମସ୍ୟା ସୃଷ୍ଟି କରୁଛି ।
ଏହି ଭଳି ଗୋଡ଼ାଗୋଡ଼ି ହୋଇ ଆଜି କଟକ-ଭୁବନେଶ୍ୱର ରାସ୍ତାର ପ୍ରତାପ ନଗରୀଠାରେ ଦୁଇଟି ବସ୍‌ ଭିତରେ ଧକ୍କା ଲାଗିଥିଲା । ଭୁବନେଶ୍ୱର ଆସୁଥିବା ଏହି ଦୁଇଟି ବସ୍‌ ମଧ୍ୟରେ ଲିଙ୍କରୋଡ୍‌ରୁ ଚାଲିଥିଲା କମ୍ପିଟିସନ୍‌ । ଦିନ ପ୍ରାୟ ୯ଟା ୪୫ ମିନିଟ୍‌ରେ ପଛ ବସ୍‌ଟି ଆଗ ବସ୍‌କୁ ଏତେ ଜୋରରେ ଧକ୍କା ଦେଲା ଯେ ପଛ ବସ୍‌ଟି କ୍ଷତିଗ୍ରସ୍ତ ହେଲା । ଅତି କମ୍‌ରେ ୫ ଜଣ ଯାତ୍ରୀ ଗୁରୁତର ଆହତ ହେଲେ ।

ACCIDENT-2ଇଏ ହେଉଛି ଆଜି ଗୋଟିଏ ଦିନର ଉଦାହରଣ । ହେଲେ ଆପଣ ଯଦି ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ କଟକ ପାଇଁ ବସ୍‌ ଧରୁଥିବେ ତେବେ ପ୍ରତିଦିନ ଦେଖିବେ କିଭଳି କମ୍ପିଟିସନ୍‌ ଲାଗେ ବସ୍‌ଗୁଡ଼ିକ ଭିତରେ । ଜଣେ ଅନ୍ୟ ଜଣକୁ ବାଟ ଛାଡ଼ିବାକୁ ଦିଅନ୍ତି ନାହିଁ । ଗାଡ଼ିକୁ ଏଭଳି ଭାବେ ଚଳାନ୍ତି ଯାହାଫଳରେ ପଛ ଗାଡ଼ିଟି ଆଗକୁ ଯାଇ ପାରିବ ନାହିଁ । ଏହା ଯୋଗୁଁ ବସ୍‌ରେ ବସିଥିବା ଯାତ୍ରୀ ତ ହଇରାଣ ହୁଅନ୍ତି । ତା ସହିତ ସେହି ରାସ୍ତାରେ ଯିବା ଆସିବା କରୁଥିବା ଲୋକେ ବି ଖୁବ୍‌ ହଇରାଣ ହୁଅନ୍ତି । ବରମୁଣ୍ଡା ଓଭରବ୍ରିଜ୍‌ ଠାରୁ କାଳୀ ମନ୍ଦିର ଯାଏ ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ହୋଇଯାଏ । ଗାଡ଼ିଗୁଡ଼ିକର ହର୍ଣ୍ଣର ବିକଟାଳ ଶବ୍ଦ ସାଙ୍ଗକୁ ବାୟୁ ପ୍ରଦୂଷଣ ହୁଏ । ହେଲେ ଏହାକୁ ହଟାଇବାକୁ ବା ରୋକିବାକୁ କୌଣସି ଟ୍ରାଫିକ୍‌ ପୋଲିସ୍‌ ନଥାନ୍ତି । ସେମାନେ କେବଳ ଓଭରବ୍ରିଜ୍‌ ତଳେ ରହି ଖୋର୍ଦ୍ଧା, ନୟାଗଡ଼ କିମ୍ବା ବ୍ରହ୍ମପୁର ଯାଉଥିବା ବସ୍‌ଗୁଡ଼ିକୁ ନିୟନ୍ତ୍ରଣ କରନ୍ତି । ବସ୍‌ଗୁଡ଼ିକ ଭିତରେ ଏଭଳି ପ୍ରତିଯୋଗିତା ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଓ ଲିଙ୍କରୋଡ଼ ପାଖରେ ଦେଖିବାକୁ ମିଳେ ।
ତେଣୁ ଟ୍ରାଫିକ୍‌ ପୋଲିସ୍‌ ଭାଇମାନଙ୍କୁ ଆମର ଅନୁରୋଧ ଏଭଳି ଗାଡ଼ି ଚାଳନାକୁ ପ୍ରତିରୋଧ କରନ୍ତୁ । ନଚେତ ଆଜି ଭଳି ଦୁର୍ଘଟଣାର ପୁନରାବୃତ୍ତି ହେବ ହିଁ ହେବ ।

ହିମାଂଶୁ ପତିମିଶ୍ର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.