Below header

ରାଜ୍ୟରେ ସ୍କ୍ରବ ଟାଇଫସ୍‌କୁ ନେଇ ବଢ଼ିଲାଣି ଚିନ୍ତା, ଚିଠି ଲେଖି ସର୍ତକ କରାଇଲା ଜନସ୍ବାସ୍ଥ୍ୟ ବିଭାଗ

ରାଜ୍ୟରେ ଏବେ ଡେଙ୍ଗୁ ଚିନ୍ତା ଯାଇ ନ ଥିବା ବେଳେ ସ୍କ୍ରବ ଟାଇଫସ୍‌ ଚିନ୍ତା ବଢ଼ାଇଲାଣି। ବରଗଡରେ ସର୍ବାଧିକ ମାମଲା ଦେଖିବାକୁ ମିଳୁଛି। ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ୧୪ଜଣ ବ୍ୟକ୍ତିଙ୍କ ନମୁନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୫ଜଣ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଏବେ ଡେଙ୍ଗୁ ଚିନ୍ତା ଯାଇ ନ ଥିବା ବେଳେ ସ୍କ୍ରବ ଟାଇଫସ୍‌ ଚିନ୍ତା ବଢ଼ାଇଲାଣି। ବୁର୍ଲା ଭିମ୍‌ସାରରେ ୨୨ଜଣଙ୍କଠାରୁ ଊର୍ଦ୍ଧ୍ୱ ସ୍କ୍ରବ ଟାଇଫସ୍‌ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ ଓ ବରଗଡରେ ସର୍ବାଧିକ ମାମଲା ଦେଖିବାକୁ ମିଳୁଛି। ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ୧୪ଜଣ ବ୍ୟକ୍ତିଙ୍କ ନମୁନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୫ଜଣ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି।

ତେବେ ଗତ ୨ ଦିନ ମଧ୍ୟରେ ସୁନ୍ଦରଗଡରେ ଜଣେ ଆକ୍ରାନ୍ତ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍କ୍ରବ ଟାଇଫସ ଓ ଲେପଟୋସ୍ପାଇରୋସିଶ ପ୍ରତିକାର ପାଇଁ ସମସ୍ତ ଜିଲାର ସିଡିଏମ୍‌ଓ ଓ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ଚିଠିରେ ଉଲ୍ଲେଖ କରାଯାଇଛ କି ସ୍କ୍ରବ ଟାଇଫସ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟର ସମସ୍ତ ହସ୍ପିଟାଲରେ ଡିପିଏଚ୍‌ଏଲ୍‌ ମାଧ୍ୟମରେ ରୋଗର ଟେଷ୍ଟିଂ କରାଯିବ। ଏହା ସହ ସମସ୍ତ ହସ୍ପିଟାଲରେ ପର୍ଯ୍ୟାପ୍ତ ଟେଷ୍ଟିଂ କିଟ ମହଜୁଦ ରଖିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ଡାକ୍ତରୀ ଦଳ ମାନଙ୍କ ଦ୍ୱାରା ରୋଗର ସର୍ଭେଲାନ୍ସ କରାଯିବା ସହ ଆକ୍ରାନ୍ତଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ। ରୋଗୀ ଓ ମୃତ୍ୟୁ ତଥ୍ୟ ନେଇ ଷ୍ଟେଟ ସର୍ଭେଲାନସ ୟୁନିଟକୁ ଅବଗତ କରାଯିବ।

ସେହିପରି ହସ୍ପିଟାଲରେ ଔଷଧ ଓ ଆଣ୍ଟିବାୟୋଟିକ୍‌ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବା ସହ ମୃତ୍ୟୁ ଗୁଡିକର ସଠିକ ଭାବେ ତଦନ୍ତ ସହ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ଚିଠିରେ ନିର୍ଦ୍ଦେଶ ଜାରି କରାଯାଇଛି। ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି, ସ୍କ୍ରବ ଟାଇଫସ ରୋଗରେ ଲୋକ ମାନେ ଭୟଭୀତ ହେବାର ଆବଶ୍ୟକ ନାହିଁ। ଏହି ରୋଗ ସାଧାରଣତଃ ଚିଗର ନାମକ କୀଟ କାମୁଡ଼ିଲେ ହେଉଛି। ଚାଷୀ ବିଲ ବା ଜଙ୍ଗଲ ଯାଉଥିବା ଲୋକଙ୍କୁ ଏହା ହେଉଛି। ଏହି ରୋଗର ଲକ୍ଷଣ ହେଉଛି ଜ୍ୱର ଲାଗି ରହିବା, ମୁଣ୍ଡ ବିନ୍ଧା ହେବ। ଏଥିସହ ରୋଗୀର ମୃତ୍ୟୁ ଘଟିବାର ମଧ୍ୟ ସମ୍ଭାବନା ରହିଛି। ଶରୀରର ଯେଉଁ ସ୍ଥାନକୁ ଏହି କୀଟଟି କାମୁଡ଼େ ସେଠାରେ ସ୍କିନ ଡେଡ୍‌ ହୋଇଯାଏ। ଏହାର ପରୀକ୍ଷା ସବୁ ଜିଲା ହସ୍ପିଟାଲର ଥିବା ଡିଷ୍ଟ୍ରିକ୍ଟ ପବ୍ଲିକ ହେଲ୍‌ଥ ଲାବରୋଟୋରୀ (ଡିପିଏଚ୍‌ଏଲ୍‌)ରେ ଏଲିଶା ପଦ୍ଧତିରେ ଚିିହ୍ନଟ ହେବାର ବ୍ୟବସ୍ଥା ରହିଛି। ଚିହ୍ନଟ ହେଲେ ଚିକିତ୍ସା ସହଜ ହେବ। ସାଧାରଣ ଆଣ୍ଟିବାୟୋଟିକ କାମ ଦେବ। ଯାହାର ଜ୍ୱର କମୁନି, ସେ ପରୀକ୍ଷା କରିନେବାକୁ ସେ ପରାମର୍ଶ ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.