୧୦ ଟଙ୍କିଆ ଥଣ୍ଡା ପାନୀୟ ଭିତରୁ ବାହାରିଲା କଣ୍ଡୋମ୍: ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଘଟଣାଟି ସତ

ମୋହନା(କେନ୍ୟୁଜ) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଥିବାବେଳେ ଗଜପତି ଜିଲ୍ଲାରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେଉଛି । ସାଧାରଣ ଜନତା ହୁଅନ୍ତୁ କିମ୍ବା ଗାଡ଼ି ଯାତ୍ରୀମାନେ ସମସ୍ତେ ଶୋଷ ମେଣ୍ଟାଇବା ପାଇଁ ଟିକେ ଥଣ୍ଡା ପାନୀୟ ପିଇବାକୁ ବାଧ୍ୟ ହେଉଛନ୍ତି । ତେବେ ଖରାଦିନେ ଯଦି ଆପଣମାନେ ଅତ୍ୟଧିକ ଥଣ୍ଡା ପ୍ରିୟ ତେବେ ଟିକେ ସାବଧାନ ହୋଇଯାଆନ୍ତୁ । ଏନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି ।

ଗଜପତି ଜିଲ୍ଲାର ମୋହନା ବଜାର ଓ ସାହି ଗୁଡ଼ିକରେ ବିଭିନ୍ନ କମ୍ପାନୀର ନାମୀ ଦାମୀ ବ୍ରାଣ୍ଡ୍ ର ଥଣ୍ଡା ପାନୀୟ ବିକ୍ରୀ ହେଉଛି । ବିଭିନ୍ନ ସମୟରେ ଥଣ୍ଡା ପାନୀୟ ବୋତଲ ଭିତରୁ କାଠିକୁଟା, ପୋକ ମାଛି ପଡ଼ିଥିବାର ଆମେ ପୂର୍ବରୁ ଦେଖିଛେ । କିନ୍ତୁ ଭାରତର ଜଣାଶୁଣା ଏକ ବଡ କମ୍ପାନୀ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ୧୦ ଟଙ୍କିଆ ମୃଦୁ ପାନୀୟ ଭିତରୁ ଏମିତି ଏକ ଜିନିଷ ବାହାରିଛି ଯାହାକୁ ଶୁଣିଲେ ଆପଣମାନେ ବି ଚକିତ ହୋଇଯିବେ ।

ଆଜ୍ଞା ୧୦ ଟଙ୍କିଆ ମୃଦୁ ପାନୀୟ ଭିତରୁ ବାହାରିଛି କଣ୍ଡୋମ୍ । ଯେଉଁ ଘଟଣା ଏବେ ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଛି । ସ୍ଥାନୀୟ ଖ୍ରୀଷ୍ଟିୟାନ ସାହିର ଏକ ଦୋକାନରୁ ଦୁଇ ତିନି ଜଣ ବ୍ୟକ୍ତି ମୃଦୁ ପାନୀୟ କିଣି ପିଇବା ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହାର ଭିଜୁଆଲ୍ ଏବେ ଖୁବ୍ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି ।

ତେବେ ଘଟଣା ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି, ଏତେ ବଡ କମ୍ପାନୀର ମୃଦୁ ପାନୀୟ ଭିତରୁ କେମିତି ବାହାରିଲା ଏଭଳି ସାମଗ୍ରୀ । ତେବେ ଏହି ଘଟଣା ପରେ ସଙ୍ଗେ ସଙ୍ଗେ ଦୋକାନୀ ଜଣକ ମୋହନାର ଜନୈକ ଡ଼ିଲର୍ ଙ୍କୁ ଘଟଣାସ୍ଥଳକୁ ଡକାଇବା ସହିତ ତାଙ୍କ ଠାରୁ କିଣିଥିବା ସବୁ ଥଣ୍ଡା ପାନୀୟକୁ ଫେରାଇ ଦେଇଥିବା କହିଛନ୍ତି । ଏପଟେ ତୁରନ୍ତ ଏଭଳି କମ୍ପାନୀକୁ ସିଜ୍ କରିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାହି ବାସିନ୍ଦା ଓ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।

ଗ୍ରାହକ ସାବଧାନ୍ ! ଆପଣମାନେ ଥଣ୍ଡା ପାନୀୟକୁ ପିଇବାକୁ ପୂର୍ବରୁ ଭଲ ଭାବେ ତନଖି ନିଅନ୍ତୁ । କାହିଁକିନା ଏଥର କୋଉ ପୋକ ନୁହେଁ, ବରଂ ପ୍ଳାଷ୍ଟିକ୍ ଗ୍ଳାସ୍ ଭିତରେ ବଜାରରେ ବିକ୍ରୀ ହେଉଥିବା ନାମୀଦାମୀ କମ୍ପାନୀର ଥଣ୍ଡା ପାନୀୟ ଭିତରୁ ବାହାରିଛି କଣ୍ଡୋମ୍ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି, ଘଟଣାଟି ସତ । ତେଣୁ ଥଣ୍ଡା ପାନୀୟ ପିଇବା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ସାମାନ୍ୟ ଅନ୍ୟମନସ୍କ ହେଲେ ଆପଣଙ୍କ ଜୀବନ ବି ଚାଲିଯାଇପାରେ ।

 

Leave A Reply

Your email address will not be published.