ବଢିବ ସ୍ନାତକ ପାସ୍‌ କନଷ୍ଟେବଳଙ୍କ କ୍ଷମତା, ବିଜ୍ଞପ୍ତି ଜାରି କଲା ଗୃହ ବିଭାଗ

ଭୁବନେଶ୍ବର : ଗ୍ରାଜୁଏଟ୍‌ କନଷ୍ଟେବଳ ଓ ହାବିଲଦାରଙ୍କୁ ତଦନ୍ତ ଦାୟିତ୍ୱ । ଛୋଟମୋଟ ମାମଲାର ତଦନ୍ତ ପାଇଁ ସେମାନଙ୍କୁ ଦିଆଯିବ କ୍ଷମତା । ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଥାନାର ଭାରପ୍ରାପ୍ତ ଅଧିକାରୀ ଭାବେ ମଧ୍ୟ ଦାୟିତ୍ୱ ପ୍ରଦାନ କରାଯିବ । ଅଭିଯୁକ୍ତଙ୍କୁ ଗିରଫ ବି କରିପାରିବେ । ରାଜ୍ୟ ଗୃହମନ୍ତ୍ରାଳୟ ପକ୍ଷରୁ ଏନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ରାଜ୍ୟରେ ଅପରାଧିକ ଅଭିଯୋଗ ବଢୁଛି । ରୁଜୁ ହେଉଛି ଅଧିକରୁ ଅଧିକ ମାମଲା । ସେହି ଅନୁପାତରେ ତଦନ୍ତକାରୀ ଅଧିକାରୀଙ୍କ ସଂଖ୍ୟା କମ୍‌ । ଫଳରେ ଠିକଣା ସମୟରେ ତଦନ୍ତ ଶେଷ ହେଉ ନାହିଁ । ପୋଲିସ ବିଭାଗରେ ମାନବ ସମ୍ବଳର ଅଭାବ ଓ ମାମଲାର ତ୍ୱରିତ ତଦନ୍ତ ଦିଗରେ ପଦକ୍ଷେପ ସହାୟକ ହେବ ।

ରାଜ୍ୟରେ କାର୍ଯ୍ୟରତ ଗ୍ରାଜୁଏଟ୍‌ କନଷ୍ଟେବଳଙ୍କ ସଂଖ୍ୟା ବର୍ତ୍ତମାନ ୧୫ରୁ ୨୦ ପ୍ରତିଶତ ହେବ । ସେମାନଙ୍କୁ ତଦନ୍ତ ଦାୟିତ୍ୱ ଦେଲେ ଉପରିସ୍ଥ ଅଧିକାରୀଙ୍କ ଦାୟିତ୍ୱ ସାମନ୍ୟା ହାଲକା ହେବ । ଗ୍ରାଜୁଏଟ୍‌ ହାବିଲଦାର ଓ କନଷ୍ଟେବଳଙ୍କୁ ଦୁଇଟି ପର୍ଯ୍ୟାୟରେ ତାଲିମ ଦିଆଯିବ । ଏହାପରେ ଏକ ପରୀକ୍ଷା କରାଯିବ । ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ସେମାନଙ୍କୁ ତଦନ୍ତ ଦାୟିତ୍ୱ ଦିଆଯିବ ବୋଲି ପୋଲିସ ଡିଜି କହିଛନ୍ତି । ରାଜ୍ୟ ପୋଲିସର ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ପୂର୍ବତନ ପୋଲିସ ଡିଜି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.