ପ୍ରେମକୁ ମିଳିଲାନି ସ୍ୱୀକୃତି! ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ପ୍ରେମୀଯୁଗଳଙ୍କ ମୃତଦେହ

ଭଞ୍ଜନଗର(କେନ୍ୟୁଜ୍): ଗଛରୁ ଝୁଲନ୍ତା ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ଢିମିରିଝୋଳି ଗ୍ରାମ ନିକଟ ପଥରଗଣ୍ଡ ଜଙ୍ଗଲରେ । ଜଙ୍ଗଲରେ ଥିବା ଏକ ଆମ୍ବ ଗଛରୁ ଝୁଲନ୍ତା ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବକ ଜଣକ ହେଲେ ଲିପୁ ମଲ୍ଲିକ ଏବଂ ତାଙ୍କ ପ୍ରେମିକା ପ୍ରତିମା ପ୍ରଧାନ । ଏମାନଙ୍କ ଘର ଢିମିରିଝୋଳି ଗାଁ ରେ ।

ଗତ କିଛି ବର୍ଷ ହେଲା ପ୍ରତିମା ଓ ଲିପୁ , ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହା ଭିତରେ ଲିପୁ କାମ କରିବା ପାଇଁ ବାହାର ରାଜ୍ୟକୁ ଯାଇଥିଲା । ତେବେ ଦଣ୍ଡଯାତ୍ରା ପାଇଁ, ଗତ କିଛି ଦିନ ପୂର୍ବରୁ ଲିପୁ ଗ୍ରାମକୁ ଫେରିଥିଲା । ଗୁରୁବାର ମଧ୍ୟରାତ୍ରରେ ଗାଁ ନିକଟ ଝାଲିଆଗୋଛା ଗ୍ରାମକୁ ଦଣ୍ଡନାଚ ଦେଖିବାକୁ ଯାଇଥିଲେ ଉଭୟେ । ପ୍ରତିମା ଓ ଲିପୁ ଦୁହେଁ , ସକାଳ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ଏହି ଘଟଣାକୁ ନେଇ ଦୁହିଁଙ୍କ ପରିବାର ଲୋକେ ଖୋଜାଖୋଜି କରିଥିଲେ । ତଥାପି କିଛି ସନ୍ଧାନ ମିଳିନଥିଲା । ଅପରାହ୍ନ ୪ ଟା ସମୟରେ ଢିମିରିଝୋଳି ଜଙ୍ଗଲରେ ପ୍ରେମୀଯୁଗଳଙ୍କ ମୃତଦେହ ଝୁଲୁଥିବା ନେଇ ଗ୍ରାମର କିଛି ଲୋକ ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ ।

ପରେ ଘଟଣାସ୍ଥଳରେ ପରିବାର ଲୋକ ପହଞ୍ଚି ଗାଲେରୀ ଫାଣ୍ଡି ଅଧିକାରୀ ଚନ୍ଦ୍ରଶେଖର ବେହେରାକୁ ଜଣାଇଥିଲେ । ଫାଣ୍ଡି ଅଧିକାରୀ ଶ୍ରୀ ବେହେରା ଘଟଣାସ୍ଥଳରେ ପହଞ୍ଚି ପ୍ରେମୀଯୁଗଳଙ୍କ ଶବକୁ ଜବତ କରିବା ସହ ତଦନ୍ତକରି ବ୍ୟବଛେଦ ପାଇଁ ଭଞ୍ଜନଗର ପଠାଇ ଥିଲେ । ଏ ସଂକ୍ରାନ୍ତରେ ତାରସିଂ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ, ଘଟଣା ର ତଦନ୍ତ ଚାଲିଥିବା  ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ ସୂଚନା ଦେଇଛନ୍ତି ।

ତେବେ ନିଜ ପ୍ରେମକୁ ସ୍ଵୀକୃତି ଏବଂ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇ ରହିବା ଯୋଗୁଁ, ମାନସିକ ଅସ୍ଥିରତାରେ ଉଭୟେ  ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.