ସର୍ବାଧିକ କାଗଜ ଡଙ୍ଗା ତିଆରି କରି ବିଶ୍ବରେକର୍ଡ କଲା କଟକ ବାଲିଯାତ୍ରା, ୨୦୭୯ ପିଲା ତିଆରି କଲେ ୨୩ ହଜାର ଡଙ୍ଗା

କଟକ (କେନ୍ୟୁଜ): କଟକ ଇତିହାସରେ ଆଜି ଯୋଡି ହେଲା ଏକ ନୂତନ ଅଧ୍ୟାୟ। ପୁଣି ମନେ ପଡ଼ିଲା ଓ ଜୀବନ୍ତ ହେଲା ଗୌରବମୟ ନୌବାଣିଜ୍ଯ ପରମ୍ପରା। କାଗଜ ଡଙ୍ଗା ତିଆରି କରି ଆଜି ଗିନିଜ ବିଶ୍ୱ ରେକର୍ଡରେ ସାମିଲ ହେଲା କଟକ ମହାନଗର ନିଗମ। ୩୫ ମିନିଟରେ ତିଆରି ହେଲା ୨୩ ହଜାର କାଗଜ ଡଙ୍ଗା। ମୋଟ ୨୦୭୯ ଜଣ ଛାତ୍ରଛାତ୍ରୀ ବାରବାଟୀ ଷ୍ଟାଡିୟମରେ କାଗଜ ଡଙ୍ଗା ତିଆରି କରି ହାସଲ କରିଛନ୍ତି ଏହି ରେକର୍ଡ। ପୂର୍ବ ରେକର୍ଡ ୧୩୦୪ ଟି ଡଙ୍ଗାକୁ ଭାଙ୍ଗି ବେଶ ଆଗକୁ ଚାଲି ଯାଇଛି ଏହି ୱାର୍ଲଡ଼ ରେକର୍ଡ।

ବାରବାଟୀ ଷ୍ଟାଡିୟମରେ ଆଜିର ଏହି ଦୃଶ୍ଯ ବେଶ ଉତ୍ସାହଭରା। ନିଜ ହାତରେ ରଙ୍ଗ ବେରଙ୍ଗ କୁନି କୁନି କାଗଜ ଡଙ୍ଗା ତିଆରି କରି ଗିନିଜ ଉଆର୍ଲଡ଼ ରେକର୍ଡ ରେ କଟକ ମହାନଗର ନିଗମକୁ ସ୍ଥାନ ଦେଇଛନ୍ତି କଟକ ସହରର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ। ସହରର ୨୨ ଟି ଶିକ୍ଷାନୁଷ୍ଠାନର ଦୁଇ ହଜାର ୭୯ ଜଣ ଛାତ୍ରଛାତ୍ରୀ ୩୫ ମିନିଟ ସମୟ ସୀମା ଭିତରେ ତିଆରି କରିଥିଲେ ୨୩ ହଜାର କାଗଜ ଡଙ୍ଗା। ସୁଦୂର ଲଣ୍ଡନରୁ ଆସି ଏହି କାର୍ଯ୍ଯକ୍ରମରେ ଉପସ୍ଥିତ ଥିଲେ ଗିନିଜ ୱାର୍ଲଡ଼ ରେକର୍ଡ ର ଅଧିକାରୀ ଓ ତାଙ୍କ ଟିମ।

ନୌବାଣିଜ୍ଯ ଇତିହାସ ଓ ଏହାର ସମୃଦ୍ଧ ପରମ୍ପରା କୁ ନେଇ ଆରମ୍ଭ ହୋଇଥିଲା ଐତିହାସିକ ବାଲିଯାତ୍ରା। ପୂର୍ବ କାଳରେ ନୌ ବାଣିଜ୍ଯ ରେ ନୌକା ବା ଡଙ୍ଗା ର ଭୂମିକା ଥିଲା ଅନନ୍ଯ। ସେଇ ଡଙ୍ଗାକୁ ଏବେ ଉତ୍ତର ପିଢ଼ି ପାଖରେ ପହଞ୍ଚାଇବା ଓ ସେ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ସିଏମସି କରିଥିଲା ଏହି ପ୍ରୟାସ। ବାଲିଯାତ୍ରାର ଯଥେଷ୍ଟ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ କାଗଜ ଡଙ୍ଗା ତିଆରି ପ୍ରଶିକ୍ଷଣ ଦିଆଯାଇଥିଲା ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ। ଏକ ଏଜେନ୍ସି କୁ ଦିଆଯାଇଥିଲା ଏହାର ଦାୟିତ୍ୱ। ପୁରା ପ୍ରକ୍ରିୟା ପାଇଁ ୩୦ ଲକ୍ଷ ଟଙ୍କାର ବଜେଟ ପ୍ରସ୍ତୁତ କରିଥିଲା କଟକ ମହାନଗର ନିଗମ। ଏହି ଏହି ଡଙ୍ଗା ତିଆରି ପ୍ରକ୍ରିୟାର ତଦାରଖ କରିଥିଲେ ୫୦ ରୁ ଉର୍ଦ୍ଧ୍ଵ ଅଧିକାରୀ। ଡଙ୍ଗା ପ୍ରସ୍ତୁତି ସମୟରେ କାହାରିକୁ ମଧ୍ୟ ଷ୍ଟାଡିୟମ ଭିତରକୁ ଯିବାକୁ ଦିଆଯାଇ ନ ଥିଲା ଅନୁମତି। ପ୍ରକିୟା ଶେଷ ହେବା ପରେ ସିଏମସି ର କର୍ପୋରେଟର, ମେୟର, କମିଶନର, ଡିସିପି, ଜିଲ୍ଲାପାଳଙ୍କ ସମେତ ସମସ୍ତ ଅଧିକାରୀ ଏହି ଉତ୍ସ ପାଳନରେ ସାମିଲ ହୋଇଥିଲେ।

You might also like