ବାପାଙ୍କ ପୁରୁଣା ଗାଡିର ଇଞ୍ଜିନକୁ ବ୍ଯବହାର କରି ଯୁବକ ତିଆରି କଲେ ସ୍ପୋଟର୍ସ କାର୍
କଟକ(କେନ୍ଯୁଜ୍): କୌଣସି ଗୁଣରେ କମ୍ ନୁହଁନ୍ତି ଆମ ଓଡିଶାର ଯୁବପୀଢି। କହିବାକୁ ଗଲେ ମାନଙ୍କ ଭିତରେ ଭରି ରହିଛି ଏକ୍ସଟ୍ରା ଟ୍ୟାଲେଣ୍ଟ । ଅଦରକାରୀ ଜିନିଷକୁ ଉପଯୋଗୀ କରିବାର ସଠିକ ତରିକା ଏମାନଙ୍କୁ ଖୁବ ଜଣା। ନିଜ ସୁବିଧା ପାଇଁ ଏମାନେ କିଛି ଏମିତି ଜୁଗାଡ଼ କରନ୍ତି ଯାହା ପରବର୍ତ୍ତୀ ସମୟରେ ବେଶ୍ ଭାଇରାଲ୍ ହୋଇଥାଏ। ଆଜିକାଲି ଆପଣ ଅନେକ ଜୁଗାଡ଼ ସୋସିଆଲ ମିଡ଼ିଆରେ ଦେଖୁଥିବେ। କିନ୍ତୁ ଆମେ ଆଜି ଯାହାର ଭିଡ଼ିଓ ଦେଖାଇବୁ ତାହା ଟିକେ ଅଲଗା। ନିଜ ବାପାଙ୍କ ପୁରୁଣା ଗାଡିର ଇଞ୍ଜିନକୁ ବ୍ଯବହାର କରି ଜଣେ ଯୁବକ ତିଆରି କରିଛନ୍ତି ସ୍ପୋଟର୍ସ କାର୍।
ଅଦରକାରୀ ଜିନିଷରୁ ପ୍ରସ୍ତୁତ ଏହି ସ୍ପୋଟର୍ସ କାରକୁ ନେଇ ଏବେ ଚର୍ଚ୍ଚା । ଯୁକ୍ତ ୩ ବାଣିଜ୍ୟ ଛାତ୍ର ସୁଶାନ୍ତ ରାଉତ ନିଜ ହାତରେ ପ୍ରସ୍ତୁତ କରିଛନ୍ତି ଏକ ସ୍ପୋର୍ଟସ କାର । ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । କଟକ ପ୍ରତାପ ନଗରୀ ଅଞ୍ଚଳର ଏହି ଯୁବକଙ୍କ ଗାଡି ପ୍ରତି ଅନେକ ଦୁର୍ବଳତା ରହିଛି । ସେ ନିଜ ଜ୍ଞାନ କୌଶଳ ବଳରେ ତାଙ୍କ ବାପାଙ୍କ ପୁରୁଣା ଗାଡିର ଇଞ୍ଜିନକୁ ବ୍ୟବହାର କରି ଏହି ସ୍ପୋଟର୍ସ କାର ତିଆରି କରିଛନ୍ତି । ମାତ୍ର ୬ମାସ ଭିତରେ ସେ ଗାଡ଼ିଟିକୁ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି ।
ଏହି ଗାଡିରେ ବିଭିନ୍ନ ଦୁଇ ଚକିଆ, ଚାରି ଚକିଆ ଆଦି ଗାଡିର ପୁରୁଣା ଅଦରକାରୀ ଯନ୍ତ୍ରାଂଶକୁ ସେ ବ୍ୟବହାର କରିଛନ୍ତି । ଏହି ଗାଡି ପ୍ରସ୍ତୁତିରେ ଗୋଟେ ଦୁଇ ଚକିଆ ଗାଡ଼ିର ଇଞ୍ଜିନ, ୪ ଟି ସ୍କୁଟର ଚକା, କାରର ବଡି ନିର୍ମାଣ ପାଇଁ କିଛି ଲୁହା ରଡ ଆଦି ବ୍ୟବହାର କରିଛନ୍ତି । ତେବେ ହାତରେ ତିଆରି ହୋଇଥିବା ଏହି କାରରେ ଅନ୍ୟ ସାଧାରଣ କାରଗୁଡିକ ଭଳି ଫ୍ରଣ୍ଟ ଗିଅର ଏବଂ ବ୍ୟାକ ଗିଅର ମଧ୍ୟ ରହିଛି ।
କଥାରେ ଅଛି ଇଚ୍ଛା ଶକ୍ତି ଥିଲେ ଉପାୟ ଆପେ ଆପେ ଆସେ। ଏହି ଉପାୟକୁ ଉପଯୋଗ କରି କଠିନ ପରିଶ୍ରମ ଦ୍ବାରା ଜଣେ ନିଜର ସ୍ବପ୍ନ ନିହାତୀ ପୂରଣ କରିପାରିବ, ଯାହାକୁ ପ୍ରମାଣ କରିଛନ୍ତି ସୁଶାନ୍ତ ।