ବାତ୍ୟା ‘ୟସ୍‌’ର ଲ୍ୟାଣ୍ଡଫଲ୍‌ ଶେଷ : ପୂର୍ବାନୁମାନ ଅନୁଯାୟୀ ପ୍ରଭାବ ନାହିଁ, ସରକାରଙ୍କ ପ୍ରସ୍ତୁତି କାମ ଦେଲା

ଭୁବନେଶ୍ୱର (କେନ୍ୟୁଜ୍‌) : ଗତ କିଛି ଦିନ ହେବ ଓଡ଼ିଶାର ଜନସାଧାରଣ ଓ ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥା ସାଜିଥିବା ବାତ୍ୟା ‘ୟସ୍‌’ର ଲ୍ୟାଣ୍ଡଫଲ୍‌ ଶେଷ ହୋଇଛି । ଏହା ସହିତ ବାତ୍ୟାର ପ୍ରଭାବ ମଧ୍ୟ କମିଛି । ତେବେ ଭୀଷଣ ବାତ୍ୟାର ରୂପ ନେବ ବୋଲି କୁହାଯାଉଥିବା ‘ୟସ୍‌’ ରାଜ୍ୟରେ ସେଭଳି ବଡ଼ କ୍ଷତି ଘଟାଇ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ବାତ୍ୟା ‘ୟସ୍‌’ ପ୍ରଭାବରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ହିଁ ଅଧିକ କ୍ଷୟକ୍ଷତି ହୋଇଛି । କିଛି ଗଛ ଓ ଘର ଭାଙ୍ଗିବା ସହ ତଳିଆ ଅଞ୍ଚଳରେ ପାଣି ପଶିଛି । ତେବେ ସରକାରଙ୍କ ଆଗୁଆ ପଦକ୍ଷେପ ଯୋଗୁଁ ଅଧିକ କ୍ଷୟକ୍ଷତି ହୋଇନାହିଁ । ଏହି ଦୁଇ ଜିଲ୍ଲା ସମେତ ଅନ୍ୟ କିଛି ଜିଲ୍ଲାରେ ବିଦ୍ୟୁତ୍‌ ସରବରାହ ବ୍ୟାହତ ହୋଇଛି । ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁରରେ ଅଧିକ କ୍ଷୟକ୍ଷତି ହୋଇ ନାହିଁ ।

ବାଲେଶ୍ୱର ଜିଲ୍ଲାରେ ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ବଢୁଥିବା ବେଳେ ମୟୁରଭଞ୍ଜ ଶିମିଳିପାଳର ଅଧିକାଂଶ ଅଞ୍ଚଳରେ ଅଧିକ ବର୍ଷା ରେକର୍ଡ଼ କରାଯାଇଛି । ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଆଶଙ୍କା ରହିଛି ।

ବାତ୍ୟା ମୟୁରଭଞ୍ଜ ଜିଲ୍ଲା ଦେଇ ଗତି କରୁଥିବା ଯୋଗୁଁ ସେଠାରେ ପ୍ରବଳ ବର୍ଷା ହେଉଛି । କିଛି ଜିଲ୍ଲାରେ ଗଛ ପଡ଼ି ଯାତାୟାତ ପ୍ରଭାବିତ ହୋଇଛି । ସେ ସବୁକୁ ହଟାଇ ଖୁବ୍‌ ଶୀଘ୍ର ସ୍ଥିତି ସ୍ୱାଭାବିକ କରିବାର କାମ ଜାରି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.