Below header

ନିମ୍ବ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର, ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଅଭିଯୋଗ

ଜଳେଶ୍ବର: ନିମ୍ବ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର। ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଜାଠିଆ ଗ୍ରାମର ଅମୂଲ୍ୟ ଦାସ (୪୨)ଙ୍କର ସନ୍ଦେହ ଜନକ ମୃତ୍ୟୁ । ଆଜି ସକାଳେ ତାଙ୍କ ଘର ଆଗରେ ଥିବା ଏକ ନିମ୍ବ ଗଛରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତେବେ ତାଙ୍କ ମୃତ୍ୟୁ ପଛରେ ଗ୍ରାମବାସୀଙ୍କ ହାତ ଥିବାନେଇ ପରିବାର ଲୋକେ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ ଅମୂଲ୍ୟ ପେଶାରେ ଜଣେ ଟିୟୁସନ ମାଷ୍ଟର। ସେ ଟିୟୁସନ କରି ନିଜର ପରିବାର ପ୍ରତିପୋଷଣ କରନ୍ତି। ଉକ୍ତ ଗ୍ରାମର ଅଭୟ ସାମଲଙ୍କ ନାବାଳିକା ଝିଅକୁ ସେ ଦୀର୍ଘ ଦିନ ଧରି ଟିୟୁସନ କରୁଥିଲେ। ତେବେ କିଛି ଦିନ ପୂର୍ବରୁ ଟିୟୁସନ କରିବା ସମୟରେ ନାବାଳିକା ଛାତ୍ରୀ ଜଣକୁ ଅମୂଲ୍ୟ ଅସଦାଚରଣ କରିଥିବା ନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ସେହିଦିନ ଠାରୁ ତାଙ୍କ ଘରକୁ ସେ ଆଉ ଟିୟୁସନ କରିବା ପାଇଁ ଯାଉନଥିଲେ। ଏହି ଅସାଦାଚରଣ ଘଟଣାକୁ ନେଇ ଗ୍ରାମର ଭଦ୍ରବ୍ୟକ୍ତି ଏବଂ ଉଭୟ ପକ୍ଷ ମଧ୍ୟରେ ଏକ ବୈଠକ ବସିଥିଲା। ବୈଠକ ପରେ ଜୋରିମନା ସ୍ୱରୂପ ଗ୍ରାମବାସୀଙ୍କ ପକ୍ଷରୁ ଅମୂଲ୍ୟଙ୍କୁ ୫ ଲକ୍ଷ ଟଙ୍କା ସହ ୧୦ଗୁଣ୍ଠ ଜମି ଦେବାକୁ ଦାବି କରାଯାଇଥିଲା ବୋଲି ମୃତ ଅମୂଲ୍ୟଙ୍କ ସ୍ତ୍ରୀ ମମତା ଦାସ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଯାହା ଫଳରେ ଟଙ୍କା ଦେବାକୁ ଅସମର୍ଥ ହୋଇ ଅମୂଲ୍ୟ ବାଧ୍ୟ ହୋଇ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ଛାତ୍ରୀଙ୍କ ପରିବାର ପକ୍ଷରୁ ଅସାଦାଚରଣ ଘଟଣା ସମ୍ପୂର୍ଣ୍ଣ ସତ୍ୟ ଏବଂ ୫ଲକ୍ଷ ଟଙ୍କା ଏବଂ ୧୦ଗୁଣ୍ଠ ଜମି ଦାବି କରିବା ଘଟଣା ସମ୍ପୂର୍ଣ୍ଣ ଭିତ୍ତିହୀନ ଅଭିଯୋଗ ବୋଲି କହିଛନ୍ତି । ତାଙ୍କୁ ଟଙ୍କା ବା କୌଣସି ଜମି ଦେବାକୁ ବାଧ୍ୟ କରାଯାଇ ନଥିଲା, କେବଳ ନିଜ ଭୁଲକୁ ନେଇ ମାନସିକ ଭାରସାମ୍ଯ ହରାଇ ଆତ୍ମହତ୍ୟା କରିଛନ୍ତି ବୋଲି ଗ୍ରାମବାସୀ ମାନେ କହିଛନ୍ତି। ଖବର ପାଇ ବାଲିଆପାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇବା ସହ ସହ ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.