ଭୁବନେଶ୍ୱର, ତିନି ଭାଇଙ୍କୁ ଫାର୍ସାରେ ହାଣିଲେ ପନ୍ଦର ଜଣ

ଭୁବନେଶ୍ୱର : ଗତକାଲି ଜିରୋ ନାଇଟ୍‌ରେ ରାଜଧାନୀରେ ହଣାକଟା । ନୂଆପଲ୍ଲୀ ଅଞ୍ଚଳରେ ଜଣେ ଯୁବକଙ୍କୁ ପ୍ରାୟ ୧୫ ଜଣ ଦୁର୍ବୃତ୍ତ ଫାର୍ସାରେ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି । ଆକ୍ରମଣରେ ଦୁଇ ଜଣ ଯୁବକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଅଛନ୍ତି । ଗତକାଲି ରାତିରେ ଆହତ ଅବସ୍ଥାରେ କ୍ୟାପିଟାଲ ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେମାନେ ହେଉଛନ୍ତି ସଞ୍ଜୟ ଗୌଡ଼ ଓ ବସନ୍ତ ଗୌଡ଼ । ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ ଘଟିଥିବା ସୂଚନା ମିଳିଛି ।

ଜାଣିବାକୁ ମିଳିଛି ଯେ ବସନ୍ତ ଗୌଡ଼ଙ୍କ ସାନ ଭାଇ ରଣଜିତ ଗୌଡ଼ ମେ ଫେୟାର ନଗର ଅଞ୍ଚଳରେ ଭୋଜି କରି ଫେରୁଥିବା ବେଳେ ତାଙ୍କ ଉପରେ ବାଟରେ ଆକ୍ରମଣ ହୋଇଥିଲା । ପାଖାପାଖି ୧୫ ଜଣ ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ସମୟରେ ବଡ଼ ଭାଇ ବସନ୍ତ ଗୌଡ଼ ଓ ସଞ୍ଜୟ ଗୌଡ଼ ଅଟୋରେ ଫେରୁଥିଲେ । ଭାଇକୁ ଆକ୍ରମଣ ହେଉଥିବା ଦେଖି ସେମାନେ ଓହ୍ଲାଇ ପଡ଼ି ବିରୋଧ କରିଥିଲେ । ତେବେ ତାଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ବସନ୍ତଙ୍କ ମୁଣ୍ଡରେ ଫାର୍ସା ମାଡ଼ ବାଜି ଗଭୀର ଆଘାତ ଲାଗିଥିଲା ।

ଏହାପରେ ଆକ୍ରମଣକାରୀମାନେ ତୁରନ୍ତ ସେଠାରୁ ଫେରାର ହୋଇ ଯାଇଥିଲେ । ବସନ୍ତଙ୍କ ଘର ପାଖର ଜଣେ ଯୁବକ ଆହତଙ୍କୁ ଧରି ସ୍କୁଟିରେ କ୍ୟାପିଟାଲ ହସପିଟାଲ ଆସିଥିବା ବେଳେ ରାସ୍ତାରେ ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା । ସେମାନେ ସେହି ରାସ୍ତାରେ ପଡ଼ିଥିବା ବେଳେ ପିସିଆର ସେମାନଙ୍କୁ ଉଠାଇ ହସପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି ।
ଗତ ଗଣେଶ ପୂଜା ବେଳେ କୌଣସି ଘଟଣାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହା ପରେ ଗତକାଲି ଏହି ଆକ୍ରମଣ ହୋଇଛି । ପୋଲିସ୍‌ ଘଟଣାର ତଦନ୍ତ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.