ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା, ୪ରୁ ୬ ଯାଏଁ ଅତିପ୍ରବଳ ବର୍ଷା

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା । ବାତ୍ୟା 'ମିଚୋଁଗ୍’ରେ ପରିଣତ ହେଲା ଗଭୀର ଅବପାତ । ଘଣ୍ଟା ପ୍ରତି ୬କିମି ବେଗରେ ଉତ୍ତରପଶ୍ଚିମ ଆଡ଼କୁ ଗତି କରୁଛି ।ତ୍ୟା ପ୍ରଭାବରେ ୪ରୁ ୬ ତାରିଖ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ଏବଂ ଅନ୍ୟ କିଛି ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି।

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା । ବାତ୍ୟା ‘ମିଚୋଁଗ୍’ରେ ପରିଣତ ହେଲା ଗଭୀର ଅବପାତ । ଘଣ୍ଟା ପ୍ରତି ୬କିମି ବେଗରେ ଉତ୍ତରପଶ୍ଚିମ ଆଡ଼କୁ ଗତି କରୁଛି । କାଲି ପୂର୍ବାହ୍ନରେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳରେ ପହଞ୍ଚିବା ଆଶଙ୍କା । ୫ ପୂର୍ବାହ୍ନରେ ନେଲୋର ଓ ମଛଲିପଟ୍ଟନମ ଉପକୂଳ ଛୁଇଁବ । ଏହା ଅତିକ୍ରମ କରିବା ବେଳେ ପବନର ବେଗ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କିଲୋମିଟର ରହିବ। ବାତ୍ୟା ପ୍ରଭାବରେ ୪ରୁ ୬ ତାରିଖ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ଏବଂ ଅନ୍ୟ କିଛି ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି।

୪ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ଦକ୍ଷିଣ-ଓଡ଼ିଶାର କିଛି ଜିଲ୍ଲା ଯଥା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ୟେଲୋୱାର୍ଣ୍ଣିଂ ଜାରି କରିଛି। ସେହିପରି ୫ତାରିଖରେ ବର୍ଷାର ବିସ୍ତୃତି ବଢ଼଼ିବା ସହ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା(୭ରୁ ୨୦ ସେଣ୍ଟିମିଟର) ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ପୁରୀ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୬ ତାରିଖରେ ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କନ୍ଧମାଳ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ାର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ଯଦିଓ ବାତ୍ୟା ଆନ୍ଧ୍ର ଉପକୂଳ ସଂଲଗ୍ନ ନେଲୋର-ମଚ୍ଛଲିପଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବ, ତଥାପି ଓଡ଼ିଶାରେ ବର୍ଷାର ଭୀଷଣ ପ୍ରଭାବ ପଡ଼ିବ। ବିଶେଷକରି ପାଚିଲା ଧାନ କିଆରିକୁ ଜଳାର୍ଣ୍ଣବ କରିଦେବ। ପନିପରିବା ଚାଷକୁ ବିପର୍ଯ୍ୟୟ ମୁହଁକୁ ଟାଣିନେବ। କେବଳ ସେତିକି ନୁହେଁ, କିଛି ସ୍ଥାନକୁ ଜଳମଗ୍ନ କରିବ ଏବଂ କଚ୍ଚା ଘର ପ୍ରତି ବିପଦ ଆଣିପାରେ। କାନ୍ଥ ଭୁଶୁଡ଼ିବାର ମଧ୍ୟ ଭୟ ରହିଛି। ପରିସ୍ଥିତିର ଗମ୍ଭୀରତାକୁ ଅନୁଭବ କରି ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ଯିବା ଲାଗି ବାରଣ କରାଯାଇଛି।