୩ ହଜାର ଟଙ୍କା ନଦେବାରୁ ମିଳିଲାନି ରକ୍ତ : ୨ ଦିନର ନବଜାତକୁ ଧରି ବସଷ୍ଟାଣ୍ଡରେ ରାତି କାଟିଲେ ପ୍ରସୂତି

rogiନବରଙ୍ଗପୁର: ବାଟବଣା ସ୍ୱାସ୍ଥ୍ୟସେବା। ପୁଣି ଏଭଳି ଚିତ୍ର ସାମନାକୁ ଆସିଛି। ନବରଙ୍ଗପୁର ଜିଲ୍ଲାର ଏମିତି ଏକ ଘଟଣା ଘଟିଛି। ଅଭିଯୋଗ ହୋଇଛି, ଜଣେ ପ୍ରସୂତୀଙ୍କୁ ହସ୍ପିଟାଲ କର୍ମଚାରୀ ରକ୍ତ ପାଇଁ ୩ ହଜାର ଟଙ୍କା ମାଗିଥିଲେ। ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରି ଦମ୍ପତି ହସ୍ପିଟାଲରୁ ପଳାଇ ଆସିଥିଲେ। ଗାଁକୁ ଫେରି ନପାରିବାରୁ ଦୁଇ ଦିନ ନବଜାତକୁ ଧରି ନବରଙ୍ଗପୁର ବସଷ୍ଟାଣ୍ଡରେ ରାତି କାଟିଥିଲେ। ଏମିତି ଦୁର୍ଦ୍ଦଶାର ଶିକାର ହୋଇଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ନାଗଯୋଡିର ଗାଁର ପ୍ରସୂତୀ ବିଜ୍ରା ସାନ୍ତା। ଏନେଇ ମନ୍ତ୍ରୀ ରମେଶ ମାଝୀ ଖବର ପାଇଁ ସିଡିଏମଓଙ୍କୁ ଫୋନ୍ କରି ଜଣାଇଥିଲେ। ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି।

rogiଉମରକୋଟ ମେଡିକାଲରୁ ଏକ ଟିମ୍ ବିଜ୍ରା ଓ ତାଙ୍କ ସ୍ୱାମୀଙ୍କୁ ଖୋଜାଖୋଜି କରି ଆଣିଥିଲେ। ଉମରକୋଟ ହସ୍ପିଟାଲରେ ଏବେ ତାଙ୍କର ଚିକିତ୍ସା ଚାଲିଛି। ୩ ତାରିଖରେ ବ୍ରିଜା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପ୍ରଥମେ ଉମରକୋଟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କୁ ପଠାଯାଇଥିଲା ନବରଙ୍ଗପୁର ମେଡିକାଲ। ସେଠାରେ ରକ୍ତ ପାଇଁ ୩ ହଜାର ଟଙ୍କା ହସ୍ପିଟାଲ କର୍ମଚାରୀ ମାଗିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଜଣା ପଡ଼ିବା ପରେ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି।