ଖରାଦିନିଆ ବାତ୍ୟା ଆଶଙ୍କା: ୬ରେ ଘୂର୍ଣ୍ଣିବଳୟ, ୯ ବେଳକୁ ଲଘୁଚାପ

ମେ' ମାସରେ ପୁଣି ବାତ୍ୟା ଭୟ । ଏଥର ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ସୃଷ୍ଟି ହେଲେ ନାଁ ରହିବ 'ମୋଚା'। ଏକାଧିକ ମଡେଲ୍‌ ମେ' ଦ୍ୱିତୀୟ ସପ୍ତାହରେ ସାମୁଦ୍ରିକ ଝଡ଼ ପୂର୍ବାନୁମାନ କରୁଛନ୍ତି। ଏହା ବାତ୍ୟା ‌ରୂପ ନେବ କି ନାହିଁ, ସେନେଇ ଆକଳନ କରାଯାଇ ନଥିବା ବିଭାଗ ପକ୍ଷରୁ କୁହାଯାଇଛି।

ଭୁବନେଶ୍ୱର (କେନ୍ୟୁଜ): ମେ’ ମାସରେ ପୁଣି ବାତ୍ୟା ଭୟ । ବଙ୍ଗୋପସାଗରରେ ଦାନା ବାନ୍ଧିବ କି ଖରା ଦିନିଆ ସାଇକ୍ଲୋନ୍‌ ? ଫନୀ, ଅମ୍ଫନ, ୟସ ଓ ଅସାନୀ ପରେ ଏବର୍ଷ ସମ୍ଭାବ୍ୟ ବାତ୍ୟା ମୋଖାର ସମ୍ଭାବନା ବଢ଼ିଛି । ଏଥର ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ସୃଷ୍ଟି ହେଲେ ନାଁ ରହିବ ‘ମୋଚା’। ଏକାଧିକ ମଡେଲ୍‌ ମେ’ ଦ୍ୱିତୀୟ ସପ୍ତାହରେ ସାମୁଦ୍ରିକ ଝଡ଼ ପୂର୍ବାନୁମାନ କରୁଛନ୍ତି । ବିଭିନ୍ନ ସଂସ୍ଥା ଗତିପଥ ସ୍ପଷ୍ଟ କରି ନଥିଲେ ମଧ୍ୟ, ବାତ୍ୟାର ଆକଳନ କରିଛନ୍ତି । ୮ରୁ ୧୬ ତାରିଖ ମଧ୍ୟରେ ଅସ୍ଥିର ହୋଇପଡିବ ବଙ୍ଗୋପସାଗର ।

ସବୁ ପାଣିପାଗ ସଂସ୍ଥାର ଆକଳନ, ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ୍‌ଙ୍କ ଆକଳନ କହୁଛି, ଚଳିତ ସପ୍ତାହ ଶେଷ ଆଡକୁ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। ଆସନ୍ତ ସପ୍ତାହରେ ତାହା ବାତ୍ୟାରେ ପରିଣତ ହୋଇପାରେ । ପୂର୍ବ ଭାରତରୁ ଆରମ୍ଭ କରି ବାଂଲାଦେଶ ଓ ମିଆଁମାର ପର୍ଯ୍ୟନ୍ତ ବାତ୍ୟା ପ୍ରଭାବ ପଡିବ ସମ୍ଭାବନା ରହିଛି । ଓ୍ଵିଣ୍ଡିର ୟୁରୋପିଆନ୍‌ ECMWF ମଡେଲ ଦର୍ଶାଉଛି ମେ ୧୧ ତାରିଖ ବେଳକୁ ବାତ୍ୟା ସୃଷ୍ଟି ସମ୍ଭାବନା ରହିଛି । ଆମେରିକାନ୍‌ GFS ମଡେଲ୍‌ରେ ମେ ୧୦ ତାରିଖରେ ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ସୃଷ୍ଟି ଦର୍ଶାଉଛି । କିନ୍ତୁ ବାତ୍ୟାଗତି ପଥ ସ୍ପଷ୍ଟ ନାହିଁ ।

ସେପଟେ ବାତ୍ୟାକୁ ନେଇ କୌଣସି ପୂର୍ବାନୁମାନ କରିନି ଭାରତୀୟ ପାଣିପାଗ ବିଭାଗ । ଆଇଏମଡି ଆକଳନ କରିଛି, ଆସନ୍ତା ୬ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି । ପରବର୍ତ୍ତୀ ୪୮ ଘଣ୍ଟାରେ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା କେତେ ଘନୀଭୂତ ହେବ ? କେଉଁ ରୂପ ଧାରଣ କରିବ ଲଘୁଚାପ ? କଣ ରହିବ ପ୍ରଭାବ, ସେନେଇ କୌଣସି ପୂର୍ବାନୁମାନ କରିନି ଭାରତୀୟ ପାଣିପାଗ ବିଭାଗ । ବାତ୍ୟାର ସଠିକ ଆକଳନ ଏତେ ପୂର୍ବରୁ କରିବା ସମ୍ଭବ ନୁହେଁ । ବାତ୍ୟା ସୃଷ୍ଟି ହେବା ପରେ ଏହାର ଗତିପଥ ଓ ତୀବ୍ରତା ସ୍ପଷ୍ଟ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.