ଡଗରା ବେଳାଭୂମିର ପ୍ରାକୃତିକ ସୌନ୍ଦର୍ଯ୍ଯକୁ ଉପଭୋଗ କରିବା ପାଇଁ ପ୍ରତିଦିନ ଛୁଟି ଆସୁଛନ୍ତି ଶହଶହ ପର୍ଯ୍ଯଟକ, ହେଲେ ଏହାର ବିକାଶ ଅଟକିଛି ଅଧାବାଟରେ

ଜଳେଶ୍ବର : ଓଡିଶାରେ ଭରପୂର ରହିଛି ପ୍ରକୃତିରାଣୀର ସୌନ୍ଦର୍ଯ୍ଯ। ଯେଉଁଥି ପାଇଁ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ଯକୁ ଉପଭୋଗ କରିବାକୁ ଛୁଟି ଆସନ୍ତି ପର୍ଯ୍ଯଟକ। ତେବେ ଓଡିଶା ସୀମାନ୍ତ ବାଲେଶ୍ବର ଜିଲ୍ଲାର ବାଲିଆପାଳ ମାଟିକୁ ପ୍ରକୃତିରାଣୀ ଦେଇଛି ଅପରୂପ ସୌନ୍ଦର୍ଯ୍ଯ । ଏଠାରେ ଥିବା ଡଗରା ବେଳାଭୂମିର ସୌନ୍ଦର୍ଯ୍ଯର ଆକର୍ଷଣ ଅତିବ ନିଆରା। ବିସ୍ତିର୍ଣ୍ଣ ଝାଉଁ ଜଗଂଲର ଶୋଭାରାଜି ସାଙ୍ଗକୁ ନାଲି କଙ୍କଡାର ଲୁଚକାଳି ଖେଳ ଏବଂ ବେଳାଭୂମିର ରମଣୀୟ ଦୃଶ୍ଯକୁ ଉପଭୋଗ କରିବା ପାଇଁ ଏଠାକୁ ବର୍ଷ ଯାକ ପର୍ଯ୍ଯଟକ ମାନଙ୍କର ସୂଅ ଛୁଟିଥାଏ। ତେବେ କରୋନା କଟକଣା ଯୋଗୁ ଦୀର୍ଘ ୯ ମାସ ଧରି ବେଳାଭୂମି ଶୂନଶାନ୍। ଫଳରେ ପର୍ଯ୍ଯଟକ ମାନେ ବେଳାଭୂମିର ସୌନ୍ଦର୍ଯ୍ଯକୁ ଉପଭୋଗ କରିବାରୁ ବଞ୍ଚିତ ହେଉଥିଲେ।
ତେବେ ବର୍ତ୍ତମାନ କଟକଣା କୋହଳ ହେବା ପରେ ପୁଣି ବେଳାଭୂମିରେ ଲାଗୁଛି ଶହଶହ ପର୍ଯ୍ଯଟକଙ୍କ ଭିଡ। ପର୍ଯ୍ଯଟକ ମାନେ ଆସି ଝାଉଁ ଜଗଂଲ ଭିତରେ ବଣଭୋଜି କରିବା ସହିତ ବେଳାଭୂମି ରେ ସେଲ୍ଫି ନେବାର ମଜା ଉଠାଉଛନ୍ତି । ଏହି ବେଳାଭୂମି ଟି ଓଡିଶା ର ସୀମାନ୍ତରେ ରହିଥିବାରୁ ସମଗ୍ର ଓଡିଶା ସମେତ ପଡୋଶୀ ପଶ୍ଚିମବଙ୍ଗ , ଝାଡଖଣ୍ତ , ବିହାର ରୁ ମଧ୍ଯ ପର୍ଯ୍ଯଟକ ମାନେ ଏହାର ସୌନ୍ଦର୍ଯ୍ଯ ଉପଭୋଗ କରିବା ପାଇଁ ଛୁଟି ଆସିଥାନ୍ତି। ମାତ୍ର ହେଲେ ବେଳାଭୂମିର ବିକାଶ ସାଙ୍ଗକୁ ପର୍ଯ୍ଯଟକ ମାନଙ୍କ ପାଇଁ କୌଣସି ଆନୁସଙ୍ଗିକ ସୁବିଧା ସୁଯୋଗ ନଥିବାରୁ ପର୍ଯ୍ଯଟକ ମହଲରେ ଅସନ୍ତୋଷ ଦେଖା ଦେଇଛି ।
୨୦୧୬ ମସିହା ଜାନୁୟାରୀ ୨୯ ତାରିଖରେ ମାନ୍ଯବର ମୁଖ୍ଯମନ୍ତ୍ରୀ ଏହି ବେଳାଭୂମିରେ ୧ କୋଟି ୬୬ଲକ୍ଷ ଟଙ୍କା ବ୍ଯୟରେ ନିର୍ମାଣ ହେବାକୁ ଥିବା ଟୁରିଷ୍ଟ କରିଡର ଓ ପାନ୍ଥ ନିବାସର ଉଦଘାଟନ କରିଥିଲେ । ୫ ବର୍ଷ ବିତିଯାଇଥିଲେ ମଧ୍ଯ ଏହାର କାର୍ଯ୍ଯ ଏ ପର୍ଯ୍ଯନ୍ତ ଆରମ୍ଭ ହୋଇ ନାହିଁ। ଏହି ବେଳାଭୂମିକୁ ଆସିବା ପାଇଁ ଭଲ ରାସ୍ତା ଟିଏ ମଧ୍ଯ ନାହିଁ। ପର୍ଯ୍ଯଟକ ମାନଙ୍କ ରାତ୍ରିଯାପନ ପାଇଁ କୌଣସି ହୋଟେଲ ବା ଅତିଥିଭବନ ନଥିବାରୁ ସଂଧ୍ଯା ପୂର୍ବରୁ ପର୍ଯ୍ଯଟକ ମାନଙ୍କୁ ଘରକୁ ଫେରିଯିବାକୁ ପଡିଥାଏ।
ତେବେ ଓଡିଶାର ଅନ୍ଯ ସମସ୍ତ ବେଳାଭୂମି ଭଳି ଏହି ବେଳାଭୂମିର ବିକାଶ ଏବଂ ଉନ୍ନତ୍ତି ପାଇଁ ସରକାରୀ ସ୍ତରରେ ପଦକ୍ଷେପ ଗ୍ରହଣ କରାଗଲେ ଏହି ବେଳାଭୂମି ବିଶ୍ବ ପର୍ଯ୍ଯଟନ ମାନଚିତ୍ରରେ ସ୍ଥାନ ପାଇବା ସହିତ ଆହୁରି ଅଧିକ ପର୍ଯ୍ଯଟକ ଏଠାକୁ ଆସିପାରନ୍ତେ।
ଜଳେଶ୍ବର ରାଧାଗୋବିନ୍ଦ ଦାସ, କେନ୍ଯୁଜ୍