ଜରାଜୀର୍ଣ୍ଣ ଅବସ୍ଥାରେ ଜରାନିବାସ, ଭାତ ଡାଲି ପାଣିରେ ବିତୁଛି ବୁଢ଼ାବୁଢ଼ୀଙ୍କ ଜୀବନ

ନିଜଲୋକ ପର କରି ଦେବା ପରେ ବାକି ଜୀବନ ଶାନ୍ତିରେ ବିତେଇବା ପାଇଁ ବୃଦ୍ଧବୃଦ୍ଧାମାନେ ଜରାନିବାସରେ ଆଶ୍ରା ନେଇଥିଲେ । ହେଲେ ୨ବର୍ଷ ହେବ ଏହି ଜରାନିବାସରେ ଅନ୍ତେବାସୀଙ୍କ ଦୁଃଖ ଦୁଇଗୁଣ ବଢ଼ିଯାଇଛି । ନା ଭଲରେ ଖାଇବାକୁ ଦିନକୁ ଦି’ଓଳି ମିଳୁଛି ନା’ ପିନ୍ଧିବାକୁ ଭଲ ଖଣ୍ଡେ ମିଳୁଛି ।

ନିଜ ଜନ୍ମ କଲା ଛୁଆ ପାଖରେ ରଖିଲେନି । ବହୁ ଆଶା ନେଇ ନିଜ ଘର ଛାଡ଼ି ପଳେଇ ଆସିଥଲେ ଏହି ଜରାନିବାସରେ ଶେଷ ଜୀବନ ବିତେଇବା ପାଇଁ । କିନ୍ତୁ ଏମାନଙ୍କ ଆଶା ସବୁ ପାଣିରେ ମିଶିଯାଇଛି । ଦୁଃଖ ଶୁଣିବାକୁ କେହି ନାହାନ୍ତି । ଦିନକୁ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ଖାଇବା ପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏହି ବୁଢ଼ାବୁଢ଼ୀମାନେ ।

ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ଏହି ଜରାନିବାସ । ନିଜଲୋକ ପର କରି ଦେବା ପରେ ବାକି ଜୀବନ ଶାନ୍ତିରେ ବିତେଇବା ପାଇଁ ବୃଦ୍ଧବୃଦ୍ଧାମାନେ ଜରାନିବାସରେ ଆଶ୍ରା ନେଇଥିଲେ । ହେଲେ ୨ବର୍ଷ ହେବ ଏହି ଜରାନିବାସରେ ଅନ୍ତେବାସୀଙ୍କ ଦୁଃଖ ଦୁଇଗୁଣ ବଢ଼ିଯାଇଛି । ନା ଭଲରେ ଖାଇବାକୁ ଦିନକୁ ଦି’ଓଳି ମିଳୁଛି ନା’ ପିନ୍ଧିବାକୁ ଭଲ ଖଣ୍ଡେ ମିଳୁଛି । ପ୍ରଥମେ ଏହି ଜରାନିବାସରେ ଆଶ୍ରା ନେବାବେଳେ ସବୁକିଛି ଠିକ୍ ଥିଲା । ଭଲ ଖାଇବା ସହ ପିନ୍ଧିବାକୁ ବି ଭଲ ଲୁଗା ଦିଆଯାଉଥିଲା । ହେଲେ ଏବେ ୬ମାସ ହେବ ଆମିଷ ପାଟିରେ ବାଜିନି । ପାଣିଆ ଡାଲି, ଆଳୁଭର୍ତାରେ ପେଟ ପୁରୁନି । ସଫାସୁତୁରା କଥା ପଚାରେ ବା କିଏ ? ଏଭଳି ଦୁଃର୍ଭାଗ୍ୟଜନକ ଘଟଣା କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ରିଘାଗଡଠାରେ ଥିବା ଜରାନିବାସରେ ଦେଖିବାକୁ ମିଳିଛି ।

ବୁଢ଼ା ଲୋକଙ୍କ ଆଶା ଭରଷା ପାଲଟିଥିବା ଏହି ଜରାନିବାସରେ ଶାନ୍ତିରେ ରହି ପାରୁ ନାହାନ୍ତି ଏମାନେ । ଜୀବନର ଶେଷ ସମୟରେ ଶାନ୍ତିରେ ଟିକେ ବଞ୍ଚିବା ପାଇଁ ୨୫ଜଣ ଅନ୍ତେବାସୀ ଏଠାକୁ ପଳେଇ ଆସିଥିଲେ। କିଏ ପରିବାରର ଆର୍ଥିକ ବୋଝକୁ ହାଲୁକା କରିବା ପାଇଁ ଘରଛାଡି ଏଠାରେ ଆଶ୍ରା ନେଇଛି ତ ଆଉ କାହାକୁ ପୁଅବୋହୂ ପର କରିଦେଇ ବିଦେଶକୁ ଚାଲିଯାଇଛନ୍ତି । ବୟସ ଥିବା ସମୟରେ ଯେଉଁ ପରିବାର ପାଇଁ ପରିଶ୍ରମ କରି କରି ନିଜର ରକ୍ତକୁ ପାଣି କରି ଦେଇଥିଲେ, ସେହି ପରିବାର ଲୋକଙ୍କ ପାଇଁ ଆଜି ଏମାନେ ଅଲୋଡା । ପରିଶ୍ରମ କରି ଟଙ୍କା ରୋଜଗାର କରିବାର ସକ୍ଷମ ନାହିଁ ଏମାନଙ୍କର । ଯାହାଫଳରେ ପରିବାର ପାଖରେ ଆଜି ଏମାନେ ଅଦରକାରୀ । ଦୁଇବର୍ଷ ହେବ ଏମାନଙ୍କୁ ଠିକ୍ରେ ଖାଇବାକୁ, ପିନ୍ଧିବାକୁ ଦିଆଯାଉନି । ଏମାନଙ୍କର ଲୁଗାପଟା ମଧ୍ୟ ସଫା କରାଯାଉନଥିବାରୁ ଅନେକ ଦିନ ଧରି ମଇଳା ଲୁଗାକୁ ଏମାନେ ପିନ୍ଧୁଛନ୍ତି । ପୂର୍ବରୁ ଖଣ୍ଡେ ଲେଖାଏଁ ଲୁଗା ଦେଉଥିଲେ କିନ୍ତୁ ଦୁଇ ତିନି ବର୍ଷ ହେବ କିଛି ବି ମିଳୁନି ।

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ରିଘାଗଡ ଠାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୁଦାନରେ ଇଣ୍ଡିଆନ ଭିଲେଜ ଡେଭଲପମେଣ୍ଟ ଅର୍ଗାନାଇଜେସନ ଦାୟିତ୍ୱରେ ନିର୍ମାଣ ହୋଇଛି ଜରାନିବାସ । ଏହି ସ୍ୱେଚ୍ଛାସେବୀ ସଂଗଠନ ଖାତାରେ ଅନ୍ତେବାସୀଙ୍କୁ ସକାଳେ ଚା’ ଜଳଖିଆ, ମଧ୍ୟାହ୍ନରେ ମଧ୍ୟାହ୍ନ ଭୋଜନ, ରାତିରେ ରୁଟି, ଭାତ ସହିତ ତରକାରି ଓ ସଂଧ୍ୟାରେ ଟିଫିନ ଓ ଚାହା ଦିଆଯାଉଛି ବୋଲି ଲେଖାଯାଇଛି । ସପ୍ତାହକୁ ଥରେ ମାଛ, ଥରେ ଅଣ୍ଡା ଓ ଥରେ ଚିକେନ ଦିଆଯାଉଛି ବୋଲି ଉଲ୍ଲେଖ କରାଯାଇଛି । ପରିଷ୍କାର ପରିଚ୍ଛନ୍ନ ମଧ୍ୟରେ ଅନ୍ତେବାସୀ ରହୁଛନ୍ତି ଓ ସେମାନଙ୍କ ସେବା ସୁଶ୍ରୁଷା କରାଯାଉଛି । ମାତ୍ର ପ୍ରକୃତ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ବୃଦ୍ଧ ବୃଦ୍ଧାଙ୍କୁ ସେବା ସୁଶ୍ରୁଷା ସହିତ ସୁଷମ ଖାଦ୍ୟ ଏବଂ ପରିଷ୍କାର ପରିଚ୍ଛନ୍ନ ପରିବେଶରେ ରଖାଯାଇଥିବା ନେଇ ସଂସ୍ଥା ପକ୍ଷରୁ ପ୍ରତିବର୍ଷ ରିପୋର୍ଟ ଦିଆଯାଉଛି । ମାତ୍ର ଏଠି ଅନ୍ତେବାସୀଙ୍କ ଅବସ୍ଥା ଜରାଜୀର୍ଣ୍ଣ ଠାରୁ ବି ହୀନ ।
ଜରାନିବାସ ପରିଚାଳନା ଦାୟିତ୍ୱରେ ଥିବା ସଶ୍ମିତା ଦାସଙ୍କ କହିବା ଅନୁସାରେ ଇଣ୍ଡିଆନ ଭିଲେଜ ଡେଭଲପମେଣ୍ଟ ଅର୍ଗାନାଇଜେସନର ରବିନ୍ଦ୍ର କୁମାର ଦାସ ଜରାନିବାସ ନାଁରେ ଟଙ୍କା ଉଠାଇ ଲୁଟ ନେଉଛନ୍ତି । ଏଠାରେ କାମ କରୁଥିବା ୫ଜଣ କର୍ମଚାରୀ ଦୁଇବର୍ଷ ହେଲା ଦରମା ପାଇନାହାଁନ୍ତି । ଏ ସଂପର୍କରେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିବା ସେ କହିଛନ୍ତି। ଏହି ବୁଢ଼ାବୁଢ଼ୀମାନେ ଅନେକ ଦୁଃଖ କଷ୍ଟରେ ରହୁଛନ୍ତି । କିଛି ଜଣ ଠିକ ଭାବେ ଖାଇବାକୁ ନପାଇବାରୁ ଏ ସ୍ଥାନ ଛାଡ଼ି ଚାଲି ଯାଇଛନ୍ତି । କିନ୍ତୁ ଏମାନଙ୍କ ଦୁଃଖ ସରୁନି । ତେବେ ଦେଖାଯାଉ ଜରାନିବାସରେ ରହୁଥିବା ଏହି ଅନ୍ତେବାସୀଙ୍କ ଦୁଃଖ କେବେ ଦୂର ହେଉଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.