ଯାଜପୁର : ଜୋରସୋରରେ ଚାଲିଛି କାଳୀପୂଜା ପ୍ରସ୍ତୁତି

ଯାଜପୁର ଟାଉନ୍ (କେନ୍ଯୁଜ୍) : ଦିନ କେଇଟା ପରେ ଦୀପାବଳି । ଉତ୍ସବମୁଖର ଯାଜପୁର ସହର । ଜୋରସୋରରେ ଚାଲିଛି କାଳୀପୂଜା ପାଇଁ ପ୍ରସ୍ତୁତି । ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । ଚଳିତ ବର୍ଷ ପୂଜାକୁ ଆକର୍ଷଣୀୟ କରିବାକୁ ପୂଜା ମଣ୍ଡପଠୁ ଜିଲ୍ଲା ପ୍ରଶାସନ ସମସ୍ତେ ତତ୍ପର ।

ଆଲୋକର ପର୍ବ ଦୀପାବଳି । ଏଥିପାଇଁ ଚଳଚଞ୍ଚଳ ଯାଜପୁର ସହର । ପୂଜା ମଣ୍ଡପ ଗୁଡିକୁ ଆକର୍ଷଣୀୟ କରିବା ପାଇଁ ଲାଗିପଡିଛନ୍ତି କାରିଗର । ଏଥର ୬୦ରୁ ଊର୍ଦ୍ଧ୍ୱ ପୂଜା ମଣ୍ଡପରେ ପୂଜା ପାଇବେ ମା’ କାଳୀ। ମାଆଙ୍କ ଆଗମନ ପାଇଁ ଚାଲିଛି ସ୍ୱତନ୍ତ୍ର ପ୍ରସ୍ତୁତି । ସହରର ହାବେଳି ବଜାର, ବଡବଜାର, ସାନବଜାର, ହରପାର୍ବତୀ, ବିରଜା ହାଟ ଛକ ଆଦି ପୂଜା ମଣ୍ଡପରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ସେପଟେ ପୂଜାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସବୁ ବର୍ଷ ଭଳି ଏଥର ମଧ୍ୟ ଧୁମଧାମରେ ପୂଜା ପାଳନ କରାଯିବ । ଚଳିତ ଥର ପାଗ ଭଲ ଥିବାରୁ ଆୟୋଜକମାନେ ଭାରି ଖୁସି ଅଛନ୍ତି । ଏଠାରେ ପୂଜା ସାଙ୍ଗକୁ ବିଭିନ୍ନ ସାଂସ୍କ୍‌ତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଏ ।