ଟଙ୍କିକିଆ ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କ ପୁଣି ଏକ ମହାନତା, ଟଙ୍କାଟିଏ ନେଇ ବଞ୍ଚାଇଦେଲେ ଗୁରୁତର ରୋଗୀର ଜୀବନ

ସମ୍ବଲପୁର(କେନ୍ୟୁଜ୍): ବୁର୍ଲା ଭିମସାରର ପ୍ରଖ୍ୟାତ ଡାକ୍ତର ଶଙ୍କର ରାମଚନ୍ଦାନୀ। ନାଁଟି ଯେତିକି ପ୍ରସିଦ୍ଧ ଗରବଙ୍କ ପାଇଁ ସେତିକି ଦେବଦୂତ ତୁଲ୍ୟ । କାରଣ ଟଙ୍କାଟିଏ ଫିସ୍ ନେଇ ଜଟିଳରୁ ଜଟିଳ ରୋଗର ଚିକିତ୍ସା କରି କେବଳ ସମ୍ବଲପୁର ନୁହେଁ ସାରା ଓଡ଼ିଶାରେ ଜଣେ ସୁପ୍ରସିଦ୍ଧ ଡାକ୍ତର ଭାବେ ପରିଗଣିତ ହୋଇଛନ୍ତି। କିନ୍ତୁ  ଗତକଲି ସେ ଯେଉଁ ବିରଳ ଚିକିତ୍ସାଟିଏ କରିଛନ୍ତି ତାହାକୁ ଶୁଣିଲା ପରେ ଯେ କେହି ବି ସଲାମ କରିବାକୁ ପଛେଇବେ ନାହିଁ । ଡାକ୍ତର ରାମଚନ୍ଦାନୀ କେବଳ ଟଙକାଟିଏ ନେଇ ଜଣେ ଗୁରୁତର ରୋଗୀର ଜୀବନକୁ ବଞ୍ଚାଇ ଦେଇଛନ୍ତି। ଗୋଟିଏ ଛୁଞ୍ଚି ସାହାଯ୍ୟରେ ଛାତିରୁ ପବନ କାଢି ଗୁରୁତର ହୋଇ ପଡିଥିବା ରୋଗୀକୁ ନିମିଷକେ ଠିକ୍ କରିଦେଇଛନ୍ତି। ସେହି ରୋଗୀ ଜଣକ ହେଉଛନ୍ତି ପଦ୍ମପୁର ଚାରିପଳିର ୨୮ ବର୍ଷୀୟା ବିକାଶ ଗଡତିୟା।

ବିକାଶ ଗତକାଲି ନିଶ୍ବାସ ନେବାରେ କଷ୍ଟ ଅନୁଭବ ହେବାରୁ ସେ ବୁର୍ଲା ମେଡିକାଲକୁ ଆସିଥିଲା। ଡାକ୍ତର ତାଙ୍କୁ ଛାତିର ଏକ୍ସରେ କରିବାପାଇଁ ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପ୍ରେସକ୍ରିପସନ ଧରି ବାହାରକୁ ଖାଇବାକୁ ଆସିଥିବା ବେଳେ ବିକାଶଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ସେତେବେଳକୁ ସେ ନିଶ୍ବାସ ପ୍ରଶ୍ବାସରେ ନେବାରେ କଷ୍ଟ ଅନୁଭବ କରୁଥିଲେ। ସଙ୍ଗେ ସଙ୍ଗେ କିଛି ଲୋକ ତାଙ୍କୁ ରାମଚନ୍ଦାନୀଙ୍କ ଟଙ୍କିକିଆ କ୍ଲିନକକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ଦେଖିବା କ୍ଷଣି ହିଁ ଆରମ୍ଭ କରିଦେଇଥିଲେ ଚିକିତ୍ସା।  ଏକ୍ସରେ ରିପୋର୍ଟ, ରକ୍ତ ଚାପ ଏବଂ ଅକ୍ସିଜେନ ଲେଭଲ ଦେଖିବା ପରେ ରାମଚନ୍ଦାନୀ  ଜାଣିବାକୁ ପାଇଥିଲେ, ଫୁସଫୁସ ଚାରି ପଟେ ଥିବା ପ୍ଲୁରାରେ ବାୟୁ ରହିଯାଇଛି। ତେଣୁ ହାର୍ଟ ଓ ଧମନୀର ଶିରାଗୁଡିକ ଚାପି ହୋଇଯାଇଛି।

ତେଣୁ ତୁରନ୍ତୁ ଉପସ୍ଥିତ ବୁଦ୍ଧି ଖଟାଇ ଓ ନିଜ ବିଦ୍ୟାର ଉପଯୋଗ କରି ଡାକ୍ତର ରାମଚନ୍ଦାନୀ ଚିକିତ୍ସା ଆରମ୍ଭ କରିଦେଇଥିଲେ।  ଗୋଟିଏ ଇଞ୍ଜେକ୍ସନର ଛୁଞ୍ଚି ସାହାଯ୍ୟରେ ରୋଗୀର ଛାତିରେ ଫୋଡିଥିଲେ । ପରେ ଛାତିରେ ଜମାଟ ବାନ୍ଧିଥିବା ପବନକୁ ବାହର କରିଥିଲେ। ଯାହା ଫଳରେ ରୋଗୀ ଜଣକ ତୁରନ୍ତ ଆଶ୍ବସ୍ତି ଅନୁଭବ କରିଥିଲେ ଓ ନିଶ୍ବାସ ପ୍ରଶ୍ବାସ ଠିକ ସେ ନେଇ ଥିଲେ।

କିଛି ସମୟ ଅପେକ୍ଷା କରିଥିଲେ କଣ ଯେ ହୋଇଯାଇଥାନ୍ତା  ତାହା କଳ୍ପନା କରିହେବନାହିଁ। କିନ୍ତୁ ରାମଚନ୍ଦାନୀଙ୍କ ଚିକିତ୍ସା ଯେ ଏହି ବ୍ୟକ୍ତିଙ୍କୁ ଏକ ନୂଆ ଜୀବନ ଦେଇଛି ସେଥିରେ ତିଳେ ମାତ୍ର ସନ୍ଦେହ ନାହିଁ। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ଚିକିତ୍ସା ପାଇଁ ରାମଚନ୍ଦାନୀ ମାତ୍ର ଟଙ୍କାଟିଏ ନେଇଥିଲେ। ଯାହା ଏବେ ତାଙ୍କୁ ଆହରି ମାହନ ବନାଇଦେଇଛି।