ନଦୀରେ ଗାଧୋଇବାକୁ ଯାଇଥିଲେ ୪ ସାଙ୍ଗ, କିନ୍ତୁ ଚାଲିଗଲା ଜଣଙ୍କ ଜୀବନ

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳର ନାରାୟଣପାଟଣା ଥାନା ବାଲିପେଟା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ପୁଅ ହେଉଛି କୁମ୍ଭାରିପୁଟ ଗାଁର ପରମାନନ୍ଦ ଖରାଙ୍କ ସାନ ପୁଅ ଶଙ୍କର ଖରା ।

କୋରାପୁଟ(କେନ୍ୟୁଜ): ସ୍ଥିର ନଦୀ ଦେଖିଲେ ଯେକୌଣସି ଲୋକର ମନ ହୁଏ ଟିକେ ଯାଇ ଗାଧୋଇ ପଡ଼େ । କିନ୍ତୁ ନଦୀର ଗଭୀରତା କାହାକୁ ବି ଜଣା ନଥାଏ । ବେଳେବେଳେ ସ୍ଥିର ଦେଖାଯାଉଥିବା ନଦୀ ବି ମଣିଷ ପାଇଁ କାଳ ପାଲଟିଯାଏ । ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ କିଛି ସାଙ୍ଗ ନଦୀ ଭିତରକୁ ଯାଇଥିଲେ । ଭାବିଥିଲେ ନଦୀରେ ଗାଧୋଇ ପଡ଼ି ପଳାଇ ଆସିବେ । କିନ୍ତୁ କିଏ ଜାଣି ଥିଲା ଶାନ୍ତ ଦେଖାଯାଉଥିବା ନଦୀରେ ଜଗି ବସିଥିଲା ଯମ । ଆଉ ଗାଧୋଇବା ବେଳେ ଚାଲିଗଲା ଜଣଙ୍କ ଜୀବନ ।

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳର ନାରାୟଣପାଟଣା ଥାନା ବାଲିପେଟା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ପୁଅ ହେଉଛି କୁମ୍ଭାରିପୁଟ ଗାଁର ପରମାନନ୍ଦ ଖରାଙ୍କ ସାନ ପୁଅ ଶଙ୍କର ଖରା । ଶଙ୍କର ନିଜ ମାମୁଁଘରେ ହେଉଥିବା ଘଣ୍ଟ ଯାତ୍ରା ଦେଖିବାକୁ ଆସିଥିଲା । କିନ୍ତୁ କିଏ ଜାଣିଥିଲା ଘଟିଯିବ ଏମିତି ଅଘଟଣ । ସାଥି ପିଲାଙ୍କ ସହ ମାମୁଁ ଘର ଗାଁ ନିକଟରେ ଥିବା ଝଞ୍ଜାବତି ନଦୀକୁ ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ୧୨ ବର୍ଷ ଶଙ୍କରର ମୃତ୍ୟୁ ହୋଇଛି । ଏନେଇ ଗାଁରେ ଖେଳିଯାଇଛି ଶୋକାକୂଳ ପରିବେଶ । ଏଭଳି ଅଘଟଣରେ ସମସ୍ତେ ଭାଙ୍ଗି ପଡ଼ିଛନ୍ତି ।

୪ ଜଣ ସାଙ୍ଗ ନଦୀରେ ଗାଧୋଇବାକୁ ଯାଇଥିବା ବେଳେ ଘଟିଥିଲା ଏଭଳି ଅଘଟଣ । ଗାଁ ଯୁବକମାନେ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଉଦ୍ଧାର କରିଥିଲେ କିନ୍ତୁ ଶଙ୍କରକୁ ବଞ୍ଚାଇ ପାରିନଥିଲେ ଗାଁ ଲୋକେ । ସୂଚନା ଅନୁସାରେ ଶଙ୍କର ବାଲିପେଟା ଗାଁର ନିଜ ସମ୍ପର୍କୀୟ ମାମୁଁ ମଙ୍ଗରାଜ୍ ମହାନନ୍ଦିଆଙ୍କ ଘରେ ହେଉଥିବା ଘଣ୍ଟ ଯାତ୍ରା ଦେଖିବାକୁ ଆସିଥିଲା । କିନ୍ତୁ ତା’ ସହ ଏମିତି ହେବ କେହି କେବେ କଳ୍ପନା ବି କରିନଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୋଲିସ ପ୍ରଶାସନ ପହଞ୍ଚିଥିଲେ ।

ଏବେ ଅସହ୍ୟ ଗରମ ହେଉଛି ଛୋଟ ଛୋଟ ପିଲାମାନେ ଘରେ ନଜଣାଇ ନିକଟସ୍ଥ ପୋଖରୀ କିମ୍ବା ନଦୀ କୂଳକୁ ଗାଧୋଇବାକୁ ପଳାଉଛନ୍ତି । ଆଉ ଏମିତି ଅଘଟଣ ବାରମ୍ବାର ଦେଖିବାକୁ ମିଳୁଛି । ଯଦି ଆପଣମାନେ ପିଲାଙ୍କ ଉପରେ ନଜର ରଖିବେ ତେବେ ହୁଏତ ପିଲାମାନେ ଏଭଳି ସ୍ଥାନକୁ ଯିବେ ନାହିଁ । ଆପଣଙ୍କ ଧ୍ୟାନ ଆପଣଙ୍କ ପିଲାଙ୍କ ଜୀବନ ବଞ୍ଚାଇବ । ତେଣୁ ଏଥିପ୍ରତି ଯଥେଷ୍ଟ ସତର୍କ ହୁଅନ୍ତୁ ।

Leave A Reply

Your email address will not be published.