ଆଦିବାସୀ ନେତା ତଥା ପୂର୍ବତନ ବିଧାୟକ ଓ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀଙ୍କର ଦେହାନ୍ତ

ଭୁବନେଶ୍ୱର/ନୂଆପଡ଼ା (କେନ୍ୟୁଜ୍‌) : ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ଏବେ ତାଙ୍କ ମର ଶରୀରକୁ ସରକାରୀ ବାସ ଭବନରେ ରଖାଯାଇଛି । ଦିନ ଗୋଟାଏ ବେଳେ ବିଜୁ ଜନତା ଦଳ ଅଫିସକୁ ନିଆଯିବ । ଖବର ପାଇବା ପରେ ତାଙ୍କ ପରିବାର ଲୋକେ ଗାଁରୁ ଆସୁଥିବା ସୂଚନା ରହିଛି ।

ନୂଆପଡା ଜିଲ୍ଲାର ବରିଷ୍ଠ ଆଦିବାସୀ ନେତା ତଥା ଖଡିଆଳ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ମାଝୀଙ୍କ ଗତ ବିଳମ୍ବିତ ରାତ୍ରୀରେ ପରଲୋକ ହୋଇଛି । ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଭୁବନେଶ୍ବରସ୍ଥିତ ତାଙ୍କ ସରକାରୀ ବାସଭବନରେ ଶୋଇଥିବା ସମୟରେ ଆକସ୍ମିକ ବିୟୋଗ ହୋଇଛି । ତାଙ୍କର ମୃତ୍ୟୁ ଖବର ପାଇବା ପରେ ଖଡିଆଳ ନିର୍ବାଚନ ମଣ୍ଡଳୀରେ ଶୋକର ଛାୟା ଖେଳିଯାଇଛି ।

ସ୍ବର୍ଗତଃ ଦୁର୍ଯ୍ୟୋଧନ ମାଝୀ ନୂଆପଡା ଜିଲ୍ଲା ଖଡିଆଳ ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ୧୯୯୦ରୁ ୨୦୧୯ ପର୍ଯ୍ୟନ୍ତ କ୍ରମାଗତ ବିଧାୟକ ରହିଥିଲେ । ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ନେତୃତ୍ବାଧୀନ ଜନତା ଦଳର ପ୍ରାର୍ଥୀ ଭାବେ ୧୯୯୦ରେ ଖଡ଼ିଆଳରୁ ପ୍ରଥମ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ପୁନର୍ବାର ୧୯୯୫ରେ ଜନତା ଦଳ ଟିକଟରେ ବିଜୟୀ ହୋଇଥିଲେ। ପରେ ବିଜୁ ଜନତା ଦଳରେ ଯୋଗଦାନ କରି ସେ ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ବିଧାୟକ ରହିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ସରକାରରେ ସେ ୨୦୦୦ ମସିହାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଏବଂ ୨୦୦୬ ମସିହାରେ ସ୍ବାସ୍ଥ୍ୟ ଓ ପାରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ମଧ୍ୟ ରହିଥିଲେ।

୨୦୧୪ ମସିହାରେ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିଲେ । ସେହିବର୍ଷ ବିଧାନସଭା ନିର୍ବାଚନରେ ବିଜେପିରୁ ପ୍ରତିଦ୍ବନ୍ଦିତା କରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେବେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପକ୍ଷରୁ ତାଙ୍କୁ ଦଳୀୟ ଟିକେଟ ନ ମିଳିବାରୁ ସେ ଦଳରୁ ଇସ୍ତଫା ଦେବା ସହିତ ପୁନର୍ବାର ବିଜୁ ଜନତା ଦଳକୁ ଫେରି ଆସିଥିଲେ ।

ସ୍ବର୍ଗତ ଦୁର୍ଯ୍ୟୋଧନ ମାଝୀ ୧୯୩୮ ମସିହାରେ ଜନ୍ମଗ୍ରହଣ କରିଥିବାଲେ । ଏବେ ତାଙ୍କର ୪ ପୁଅ ଏବଂ ଜଣେ ଝିଅ ଅଛନ୍ତି । ଆଜି ସ୍ବର୍ଗତ ମାଝୀଙ୍କ ବିୟୋଗ ଖବର ଜଣା ପଡ଼ିବାପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତା ଶୋକ ପ୍ରକାଶ କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.