ଜାନୁଆରୀ ୨୨ ଯାଏ ବଢ଼ିଲା ନିର୍ବାଚନ ରାଲି କଟକଣା, ବୃଦ୍ଧି କଲେ ଭାରତୀୟ ନିର୍ବାଚନ କମିସନ

ଭୁବନେଶ୍ୱର(କେନ୍ୟୁଜ୍‌) : ନିର୍ବାଚନ ରାଲି କଟକଣାକୁ ଜାନୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଭାରତୀୟ ନିର୍ବାଚନ କମିସନ। କରୋନା ସଂକ୍ରମଣ ଲଗାତାର ବଢୁଥିବାରୁ ନିର୍ବାଚନ କମିସନ ପ୍ରଚାର ରାଲି ଓ ରୋଡ ସୋ କଟକଣାକୁ ଆସନ୍ତା ୨୨ତାରିଖ ପର୍ଯ୍ୟନ୍ତ ବଢାଇଛନ୍ତି ।

ଜାନୁଆରୀ ୮ରେ କମିସନ ୫ ରାଜ୍ୟର ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ସହ ୧୫ ତାରିଖ ପର୍ଯ୍ୟନ୍ତ ରାଲି ଓ ରୋଡ ସୋକୁ ବାରଣ କରିଥିଲେ। ସ୍ଥିତି ସମୀକ୍ଷା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କମିସନ କହିଥିଲେ। ତେବେ କୋଭିଡ ସଂକ୍ରମଣ ବଢୁଥିବାରୁ କଟକଣାକୁ ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ତେବେ ଏହି ସମୟ ମଧ୍ୟରେ ସଭାଗୃହରେ ବୈଠକ କରିହେବ ଏବଂ ଅତିବେଶୀରେ ୩ଶହ ଲୋକ କିମ୍ବା ହଲ୍ କ୍ଷମତାର ୫୦ ପ୍ରତିଶତ ଲୋକ ଯୋଗ ଦେଇପାରିବେ ବୋଲି କମିସନ କହିଛନ୍ତି। ନିର୍ବାଚନ ସମୟରେ ଆବଶ୍ୟକ କୋଭିଡ ପ୍ରୋଟୋକଲର ପାଳନ କରିବାକୁ ଦଳମାନଙ୍କୁ କମିସନ ନିର୍ଦ୍ଦେଶ ଦେଇଛନ୍ତି।

ଏହି ନିୟମକୁ ତୁରନ୍ତ ଲାଗୁ କରିବାକୁ ରାଜ୍ୟ ନିର୍ବାଚନ କମିସନରଙ୍କ ପାଖରେ କଂଗ୍ରେସ ଦଳ ଜଣାଇବ ବୋଲି କହିଛନ୍ତି ବରିଷ୍ଠ ବିଧାୟକ ସୁର ରାଉତରାୟ। ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ମଧ୍ୟ କେନ୍ଦ୍ରର ଗାଇଡଲାଇନ ପାଳନ ପାଇଁ ସେ ଦାବି କରିଛନ୍ତି। ସେପଟେ ଡିଜିଟାଲ ପ୍ରଚାର ଦ୍ୱାରା ବିଜେପି ଘରେ ଘରେ ପହଞ୍ଚିବ ବୋଲି କହିଛନ୍ତି ରାଜ୍ୟ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା। ଲୋକଙ୍କ ଜୀବନ ପ୍ରଥମ ବୋଲି ସେ କହିଛନ୍ତି।