ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ଆଣିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଅକ୍ଷୟ ପରିଜାଙ୍କ ସହ ହେବ ମୁହାଁମୁହିଁ ଜେରା

ଭୁବନେଶ୍ୱର (କେନ୍ୟୁଜ): ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ମାମଲାରେ ବଡ଼ ମୁଣ୍ଡଙ୍କ ଲିଙ୍କ ନେଇ ଖୋଳତାଡ କରୁଛି ଇଡି। ଦୁଇ ଦିନ ହେବ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଜେରା ହୋଇଛି। ତାଙ୍କ ସହ ଗତକାଲି ଅର୍ଚ୍ଚନାଙ୍କ ନାଁରେ ଖଣ୍ଡଗିରି ଥାନାରେ ଏତଲା ଦେଇଥିବା ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ବି ମାରାଥନ୍‌ ଜେରା କରିଛନ୍ତି ଇଡି ଅଧିକାରୀ। ସେମାନଙ୍କୁ ଖଗେଶ୍ୱର ସହ ମୁହାଁମୁହିଁ ଜେରା ହୋଇଥିବା ସୂଚନା ମିଳିଛି।

ଅକ୍ଷୟଙ୍କୁ ୧୩ ଘଣ୍ଟା ଓ ଶ୍ରଦ୍ଧାଞ୍ଜଳିଙ୍କୁ ୧୫ ଘଣ୍ଟାର ଜେରା ହୋଇଥିଲା। ଦୁହିଁଙ୍କୁ ଏକାଠି ୧୨ ଘଣ୍ଟା ଜେରା ହୋଇଥିବା ସୂଚନା ମିଳିଛି। ଇଡି ଅଫିସରୁ ବାହାରିବା ପରେ ଅକ୍ଷୟ ପରିଜା କହିଥିଲେ, ‘ନ୍ୟାୟ ବ୍ୟବସ୍ଥା ଉପରେ ଭରସା ଅଛି। ତଦନ୍ତ ଜାରି ରହିଛି ଓ ନ୍ୟାୟ ମିଳିବ’ । ଶ୍ରଦ୍ଧାଞ୍ଜଳି ଗଣମାଧ୍ୟମକୁ କୌଣସି ସୂଚନା ଦେଇନଥିଲେ।

ଅନ୍ୟପଟେ ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ଆଣିବାକୁ ପ୍ରକ୍ରିୟା ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣି ଅକ୍ଷୟ ପରିଜାଙ୍କ ସହ ମୁହାଁମୁହିଁ ଜେରା କରିବାକୁ ଯୋଜନା ରଖିଛି ତଦନ୍ତକାରୀ ସଂସ୍ଥା। ଏହାରି ଭିତରେ ଆଗକୁ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କ ହନିଟ୍ରାପର ଶିକାର ହୋଇବା ବ୍ୟବସାୟୀ, ବିଲଡର, ରାଜନେତା ନା ଜମି ମାଲିକ କିଏ ହାଜର ହେବେ, ତା ଉପରେ ଏବେ ସମସ୍ତଙ୍କର ନଜର ରହିଛି। ପ୍ରଥମ ପର୍ଯ୍ୟାୟରେ ଇଡି ୧୫ ଜଣଙ୍କୁ ନୋଟିସ୍‌ କରିଥିଲା। ସେମାନେ ପର୍ଯ୍ୟାୟକ୍ରମେ ହାଜର ହେବେ।

Also Read: ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ, ଆଗତ ହେବ ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍‌