ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ, ଆଗତ ହେବ ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍‌

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ। ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍‌ ଆଗତ ହେବ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିବେ। ଅତିରିକ୍ତ ବଜେଟ୍‌ ଆକାର ପ୍ରାୟ ୧୬ରୁ ୧୭ ହଜାର କୋଟି ଭିତରେ ରହିପାରେ। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗରିବ କଲ୍ୟାଣ ଯୋଜନା ଓ ଭିତ୍ତିଭୂମି କ୍ଷେତ୍ର ଉପରେ ଫୋକସ ସରକାର କରିବେ।

ଡିସେମ୍ବର ୨ରେ ଗୃହୀତ ହେବ ବ୍ୟୟ ମଞ୍ଜୁରୀ ବିଲ୍‌। ବିଭିନ୍ନ ପ୍ରସଙ୍ଗରେ ଏଥର ଶୀତ ଅଧିବେଶନ ସରଗରମ ହେବ। ଅର୍ଚ୍ଚନା ନାଗ, ଆଇନ ଶୃଙ୍ଖଳା, ବେକାରୀ, ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗକୁ ନେଇ ଆରମ୍ଭରୁ କମ୍ପିବ ବିଧାନସଭା। ମଣ୍ଡି ଅବ୍ୟବସ୍ଥା, କଟନି ଛଟନି ଭଳି ପ୍ରସଙ୍ଗକୁ ପ୍ରାଥମିକତା ଦେବ ବିଜେପି। ଏହାସହ ଅର୍ଚ୍ଚନା ନାଗ ପ୍ରସଙ୍ଗରେ ପୋଲିସ ଭୂମିକାକୁ ନେଇ ପ୍ରସଙ୍ଗ କରିବ ଦଳ।

ଅନ୍ୟପଟେ ଚାଷ ଓ ଚାଷୀ ସମ୍ପର୍କିତ ପ୍ରସଙ୍ଗ କଂଗ୍ରେସ ଗୃହରେ ଉଠାଇବ। ଅର୍ଚ୍ଚନା ନାଗ ପ୍ରସଙ୍ଗ ମଧ୍ୟ ଦଳ ଉଠାଇବ। ସରକାରଙ୍କ କେଉଁ କେଉଁ ପ୍ରସଙ୍ଗରେ ଘେରିବେ ସେନେଇ ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକରେ ରଣନୀତି ହୋଇଛି।

ଅନ୍ୟପକ୍ଷରେ ବିରୋଧୀଙ୍କୁ କାଉଣ୍ଟର କରିବା ପାଇଁ ଅଧିବେଶନ ପୂର୍ବରୁ ଆଜି ବସିବ ବିଜେଡି ବିଧାୟକ ଦଳ ବୈଠକ। ଗୃହରେ କେନ୍ଦ୍ରୀୟ ଅବହେଳା ଓ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ଜୋରଦାର ଢଙ୍ଗରେ ଉଠାଇବାକୁ ଯୋଜନା କରିଛି ଶାସକ ଦଳ। ରେଳ ବିକାଶ କ୍ଷେତ୍ରରେ ଓଡ଼ିଶାକୁ ଅବହେଳା, ଏଫସିଆଇ ଓଡ଼ିଶାର ବଳକା ଧାନ ନକିଣିବା, ଓଡ଼ିଶାକୁ ସ୍ପେଶାଲ ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ପ୍ରସଙ୍ଗ ଉଠାଇବ କେନ୍ଦ୍ରକୁ ଘେରିବ ବିଜେଡି।

ଆଜିଠାରୁ ଡିସେମ୍ବର ୩୧ ଯାଏ ଚାଲିବ ଶୀତକାଳୀନ ଅଧିବେଶନ। ସୁରକ୍ଷା ଦୃଷ୍ଟିରୁ ବିଧାନସଭା ଭିତରେ ଓ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୨୮ ପ୍ଲାଟୁନ୍‌ ପୋଲିସ ଫୋର୍ସ ଓ ୧୦୦ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀଙ୍କୁ ମୁତୟନ ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.