କୁନି କାନ୍ଧରେ ପରିବାର ବୋଝ, ତିନି ପ୍ରାଣୀ ପେଟ ପୋଷିବା ପାଇଁ ଚାହା ଦୋକାନ ଦେଇ ରୋଜଗାର କରୁଛି ବାପ ଛେଉଣ୍ଡ ଝିଅ

ଗଞ୍ଜାମ(କେ ନ୍ୟୁଜ): ସ୍ତ୍ରୀ, ଦୁଇ ଝିଅ ଓ ଗୋଟିଏ ପୁଅକୁ ନେଇ ସୁରୁଖୁରୁରେ ଚାଲିଥିଲା ଗଂଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର କାଳିଆ ମହାକୁଡ଼ଙ୍କ ସଂସାର ।ସୁରଟରେ ମୂଲ ଲାଗି ପରିବାରର ଗୁଜୁରାଣ ମେଣ୍ଟାଈ ଆସୁଥିଲେ କାଳିଆ । କିନ୍ତୁ ଦଇବ ବୋଧେ ଏହା ସହିଲା ନାହିଁ, ବିଧିର ବିଧାନ ଥିଲା କିଛିଟା ଭିନ୍ନ। ୨୦୧୪ ମସିହାରେ କୌଣସି କାରଣରୁ କାଳିଆଙ୍କର ଅକାଳରେ ଜୀବନ ଗଲା । ଘରର ପୂରା ଦାୟିତ୍ୱ ପଡିଥିଲା କାଳିଆଙ୍କ ବିଧବା ପତ୍ନୀ କୁନା ମହାକୁଡ଼ଙ୍କ ମୁଣ୍ଡ ଉପରେ । ସ୍ୱାମୀଙ୍କ ମୃତ୍ୟୁ ପରେ କାମ ପାଇଟି କରି ଦୁଃଖ କଷ୍ଟରେ ତିନି ପିଲାଙ୍କ ମୁହଁରେ ଆହାର ଯୋଗାଇ ଆସୁଥିଲେ କୁନା। ଏହା ସହ ସେମାନଙ୍କ ପାଠ ପଢା ଦାୟିତ୍ୱ ବି ମେଣ୍ଟାଉଥିଲେ । କିନ୍ତୁ ବୋଧ ହୁଏ ଈଶ୍ବରଙ୍କୁ ଏହା ବି ମଂଜୁର ନଥିଲା । ଗତ ଜୁଲାଇ ୨୪ ତାରିଖରେ ପରିବାର ଉପରେ ପଡିଲା ଆଉ ଏକ ବଜ୍ର । ଆଖି ବୁଜିଲେ ତିନି ପିଲାଙ୍କ ଏକ ମାତ୍ର ସାହା ମାଁ କୁନା।

 

ତିନି ପିଲାଙ୍କ ମୁଣ୍ଡ ଉପରୁ ଉଠିଗଲା ବାପା, ମାଁ ଉଭୟଙ୍କ ହାତ । ଅନାଥ ହୋଇଗଲେ ତିନି ଭାଇଭଉଣୀ । ଅଚାନକ ଘରର ସବୁ ବୋଝ ଲଦି ହୋଇଗଲା ବଡ ଝିଅ ଦିପ୍ତୀଙ୍କ ମୁଣ୍ଡ ଉପରେ । ସାନ ଭାଇ ଭଉଣୀଙ୍କ ମୁହଁକୁ ଚାହିଁ ମାଟ୍ରିକ ପରେ ପାଠ ପଢ଼ାରେ ଡୋରି ବାନ୍ଧିଲେ ଦୀପ୍ତି । ଏବେ ସାନ ଭଉଣୀ ମନୀଷା ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ସାନ ଭାଇ ରାଉଳ ଅଷ୍ଟମ ଶ୍ରେଣୀର ଛାତ୍ର । ଭାଇ ଭଉଣୀଙ୍କୁ ମଣିଷ କରିବାର ପଣ ନେଇ ଗାଁ ମୁଣ୍ଡରେ ଚାହା ଦୋକାନ ଟିଏ କରି ସାନ ଭାଇଭଉଣୀଙ୍କ ଗୁଜୁରାଣ ମେଣ୍ଟାଉଛନ୍ତି ଦୀପ୍ତି । ରୋଜଗାର ବୋଲି ଏଇ ଦୋକାନ ଖଣ୍ଡିକ । ସାହି, ପଡିଶାଙ୍କ ଠାରୁ ଆରମ୍ଭ କରି ବନ୍ଧୁ ବାନ୍ଧବଙ୍କ ପର୍ଯ୍ୟନ୍ତ ଖାଲି ଆହା ଚୁ ଚୁ କରି ସମବେଦନା ଜଣାଉଛନ୍ତି ସିନା । କିନ୍ତୁ ତିନି ଅନାଥଙ୍କ ଦାୟିତ୍ୱ ନେବାକୁ କେହି ରାଜି ନୁହନ୍ତି ।

ଏବେ ଏହି ତିନି ପିଲାଙ୍କ ଦାୟିତ୍ୱ ନେବ କିଏ ? ସେମାନଙ୍କୁ ମଣିଷ କରି ଗଢି ତୋଳିବ କିଏ ? କଣ ଅନ୍ଧାର ଭିତରକୁ ଠେଲି ହେଇଯିବ ସେମାନଙ୍କ ଭବିଷ୍ୟତ । ସରକାରୀ ଯୋଜନାରେ ଚାଉଳ ଗଣ୍ଡେ ଯାହା ମିଳୁଛି ସେମାନଙ୍କୁ। କିନ୍ତୁ ବଡ ଭଉଣୀ ଦୀପ୍ତିର ମନ କିନ୍ତୁ କହୁଛି କିଛି ଭିନ୍ନ। ଭାଇଭଉଣୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନେଇ ଆଶା ରଖିଛି ବଡ ଭଉଣୀ । ତା ଅନ୍ତର ଯେମିତି କହୁଛି, ଦିନେ ନା ଦିନେ କେହି ସହୃଦୟ ବ୍ୟକ୍ତି ନିଶ୍ଚିତ ରୂପେ ସହାୟତାର ହାତ ବଢ଼ାଇବେ। ଆଉ ସେହିଥିରେ ହିଁ ତାଙ୍କ ଦୁଇ ଭାଇ ଭଉଣୀ ମଣିଷ ହୋଇଯିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.