ଲାଗିବ ବିଦ୍ୟୁତ୍ ଝଟକା ! ବଢ଼ିପାରେ ବିଜୁଳି ଶୁଳ୍କ

ଭୁବନେଶ୍ବର : ବିଦ୍ୟୁତ ଉପଭୋକ୍ତାଙ୍କ ଉପରେ ପଡ଼ିପାରେ ଦରବୃଦ୍ଧି ବୋଝ । କାରଣ ଦର ବୃଦ୍ଧି ପାଇଁ ଦାବି କରିଛି ଓଡ଼ିଶା ପାଓ୍ଵାର ଜେନେରେସନ କର୍ପୋସେରସନ୍ ବା ଓପିଜିସି । କହିଛି, ୨୦୧୪ ମସିହା ପରଠୁ ବର୍ଷକୁ ପାଖାପାଖି ୫୦ କୋଟି ଟଙ୍କା ଉତ୍ପାଦନଜନିତ କ୍ଷତି ସହୁଛି । ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ୩ ବର୍ଷ ଗ୍ରୀଡ୍କୋଠାରୁ କ୍ଷତି ଭରଣା ଦାବି କରିଛି ଓପିଜିସି । ଯୁକ୍ତି ବାଢ଼ିଛି, ପାଓ୍ଵାର ପର୍ଚେଜିଂ ଏଗ୍ରୀମେଣ୍ଟ ବା ପିପିଏ ଆଧାରରେ ଦର ଧାର୍ଯ୍ୟ ହେଲେ କ୍ଷତି ସହିବାକୁ ପଡ଼ିବ ନାହିଁ । ଏନେଇ ପୂର୍ବରୁ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଓପିଜିସି । ପିପିଏ ଅନୁସାରେ ଟାରିଫ ଧାର୍ଯ୍ୟ ପାଇଁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ବା ଓଇଆରସିକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେପଟେ ସୁପ୍ରିମ୍କୋର୍ଟରେ ଗ୍ରୀଡ୍କୋ ରିଟ୍ ପିଟିସନ୍ ଦାଖଲ କରିଛି । ଏହାପରେ ଅଗଷ୍ଟ ୨୧ ତାରିଖକୁ ଓଇଆରସି ଶୁଣାଣି ଘୁଞ୍ଚାଇ ଦେଇଛନ୍ତି ।
ଏବେ ନଜର ପକାନ୍ତୁ ଏହି ତାଲିକା ଉପରେ :
୨୦୧୬-୧୭ରେ ପିପିଏ ଆଧାରରେ ୟୁନିଟ୍ ପିଛା ୨ ଟଙ୍କା ୪୨ ପଇସା ଦାବି କରିଥିଲା ଓପିଜିସି । ଓଇଆର୍ସି ଦେଇଥିଲା ୧ ଟଙ୍କା ୯୦ ପଇସା । ୨୦୧୭-୧୮ରେ ଓପିଜିସିର ଦାବି ଥିଲା ୨ ଟଙ୍କା ୪୯ ପଇସା । ଓଇଆରସି ଦେଇଥିଲା ୧ଟଙ୍କା ୯୬ ପଇସା । । ୨୦୧୮ରେ ଓପିଜିସି ଦାବି କରିଥିଲା ୨ ଟଙ୍କା ୬୪ ପଇସା । ଓଇଆରସି ୟୁନିଟ୍ ପିଛା ୨ ଟଙ୍କା ୫ ପଇସା ଦେଇଥିଲା । ବିଦ୍ୟୁତ୍ ଉପଭୋକ୍ତା ମହାସଂଘ କହିଛି, ପିପିଏ ଦ୍ୱାରା ଟାରିଫ୍ ଧାର୍ଯ୍ୟ ହେଲେ ବିଦ୍ୟୁତ ଦର ବଢ଼ିବ । ବିରୋଧ କରିବ ମହାସଂଘ ।
ଓପିଜିସି ଓ ଗ୍ରୀଡ୍କୋ ଉଭୟ ସରକାରୀ ସଂସ୍ଥା । ଓପିଜିସିରେ ସରକାରଙ୍କର ୫୧ ପ୍ରତିଶତ ଅଂଶଧନ ରହିଛି । ଏବେ ଅପେକ୍ଷା, ସୁପ୍ରିମକୋର୍ଟଙ୍କ ରାୟ ଏବଂ ଓଇଆରସିଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ।