ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାତୀ ଉପଦ୍ରବ, ହଇରାଣ ହେଉଛନ୍ତି ସାଧାରଣ ଜନତା

ଭୁବନେଶ୍ବର (କେନ୍ୟୁଜ୍) :ତାଳଚେର ସନ୍ତପଡ଼ା ଗାଁରେ ୧୮ ବଣୁଆ ହାତୀ ଚଳାଇଛନ୍ତି ଆତଙ୍କରାଜ୍ । ବିଳମ୍ବିତ ରାତିରେ ଘର ଦ୍ୱାର ଭାଙ୍ଗିବା ସହ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ସନ୍ତପଡ଼ା ଗାଁର ଟିକନ ବେହେରାଙ୍କ ପରିବାର ରାତିରେ ଶୋଇଥିବା ସମୟରେ ହାତୀପଲ ରୋଷେଇ ଘରକୁ ଭାଙ୍ଗି ଦେଇଥିଲେ। ଭୟଭୀତ ଅବସ୍ଥାରେ ପରିବାର ଲୋକ ଦୌଡ଼ି ବାହାରକୁ ପଳାଇ ଆସିଥିଲେ। ଗାଁରେ ଅନେକ ଲୋକଙ୍କ ଧାନ ଫସଲ ଦଳି ନଷ୍ଟ କରିଛନ୍ତି ବଣୁଆହାତୀ। ଫଳରେ ୫ଟି ଗାଁର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ ପ୍ରୟାସ ଜାରି ରଖିଛି। ହାତୀପଲ ବ୍ରାହ୍ମଣୀ ନଦୀ ପାର ହୋଇ ଢେଙ୍କାନାଳ ଜିଲ୍ଲାରୁ ଆସିଛନ୍ତି।

talcher hati

ସୁନ୍ଦରଗଡ଼ ଜିଲ୍ଲାରେ ବି ହାତୀ ଆତଙ୍କ

ସୁନ୍ଦରଗଡ଼ ଜିଲ୍ଲାରେ ବି ହାତୀ ଆତଙ୍କ। ଜିଲ୍ଲାର ବଡଗାଁ, କୁତ୍ରା, ବାଲିଶଙ୍କରା ଓ ଲେଫ୍ରିପଡ଼ା ବ୍ଲକର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ବଡଗାଁ ଓ କୁତ୍ରା ଫରେଷ୍ଟ ରେଞ୍ଜ ଅଂଚଳରେ ଆହତ ଦନ୍ତା ହାତୀକୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ଆସିଥିବା ଟିମ୍ ବିଫଳ ହୋଇଛି। ଉଜ୍ଜଳପୁର ଫରେଷ୍ଟ ରେଞ୍ଜ ଅଞ୍ଚଳର କୁକୁରିଡିହି ଅଞ୍ଚଳରେ ହାତୀ ଆକ୍ରମଣରେ ଦୁଇ ଜଣ ଆହତ ହୋଇଛନ୍ତି। ଦୁଇ ଆହତଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୋଟିଏ ପଲରେ ୧୨ଟି ହାତୀ ଓ ଅନ୍ୟଟିରେ ୯ଟି ହାତୀ ରହିଥିବା ବେଳେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ହାତୀକୁ ଘଉଡାଇବା ପାଇଁ ବନବିଭାଗ ଚେଷ୍ଟା ଜାରି ରଖିଛି।

balasore

ବାଂଶପାଳରେ ଥମୁନି ହାତୀ ଉପଦ୍ରବ

କେନ୍ଦୁଝର ଜିଲ୍ଲା ବାଂଶପାଳ ଅନ୍ତର୍ଗତ ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅଧିନରେ ଥିବା ଜଙ୍ଗଲରେ ବଢ଼ି ଚାଲିଛି ହାତୀ ଉପଦ୍ରବ। ଏନେଇ ବିଭିନ୍ନ ଅସୁବିଧାର ସାମ୍ନା କରୁଛନ୍ତି ପାଖ ଗ୍ରାମବାସୀ। ଖାଦ୍ୟ ଅନ୍ବେଷଣରେ ଜନବସତି ମୁହଁ ହାତୀ ଫସଲ ନଷ୍ଟ କରିବା ସହ ପରିବା ଖାଇଦେଉଛନ୍ତି। ଏନେଇ ଚାଷୀ ମାନଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ। ତେବେ ଏବେ ମଧ୍ୟବ ବାଂଶପାଳ ଅଞ୍ଚଳରେ ୫୮ଟି ହାତୀ ବୁଲୁଥିବା ବେଳେ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଇନାହିଁ।

hati

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.