ନ୍ୟାୟ ଅପେକ୍ଷାରେ ପୂର୍ବତନ ବିଧାୟକ ତ୍ରିନାଥ ସାହୁଙ୍କ ପରିବାର, , ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଠିକାଦାର ମାନୁ ନଥିବା ଅଭିଯୋଗ

ପାରଳାଖେମୁଣ୍ଡି (କେ ନ୍ୟୁଜ୍‌) : ଯିଏ ଦିନେ ଲୋକଙ୍କ ସେବା କରୁଥିଲେ ଅନ୍ୟମାନଙ୍କୁ ନ୍ୟାୟ ଦେଉଥିଲେ ଆଜି ତାଙ୍କରି ପରିବାର ଲୋକେ ପ୍ରଶାସନ ଠାରୁ ନ୍ୟାୟ ଦାବି କରୁଛନ୍ତି । ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ସ୍ୱର୍ଗତ ତ୍ରିନାଥ ସାହୁ । ନିଜ ଗାଁ ଗାରାବନ୍ଧରେ ସରପଂଚରୁ ରାଜନୀତି ଆରମ୍ଭ କରି ପାରଳାଖେମୁଣ୍ଡି ପୌରପାଳିକାରେ ୪ଥର ପୌରାଧ୍ୟକ୍ଷ ଏବଂ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ୪ ଥର ବିଧାୟକ ରୂପେ ନିର୍ବାଚିତ ହୋଇପାରିଥିଲେ । ସେ ଜଣେ ସ୍ୱଚ୍ଛ ରାଜନେତା ଭାବେ ଲୋକପ୍ରିୟ ଥିଲେ । ତାଙ୍କର ନିଧନ ପରେ ଏବେ ନ୍ୟାୟ ଅପେକ୍ଷାରେ ତାଙ୍କ ପରିବାର ।
ଘଟଣା ହେଉଛି, ଗଜପତି ଜିଲ୍ଲା ଗାରାବନ୍ଧ ଗ୍ରାମ ଠାରୁ କିଞ୍ଚିଲିଙ୍ଗି ସଡ଼କ ନିର୍ମାଣ କାମ ଏକ ଘରୋଇ ଠିକା ସଂସ୍ଥା ନେଇଥିବା ବେଳେ ଏହି ସଂସ୍ଥା ସ୍ୱର୍ଗତ ତ୍ରିନାଥ ସାହୁ ଓ ତାଙ୍କ ପରିବାର ଚାଷ ଜମିକୁ ଜବରଦଖଲ କରି ସଡକ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି । ତେବେ ଏହି ଅଭିଯୋଗ ପୂର୍ବରୁ ମଧ୍ୟ ହୋଇଥିଲା ଏବଂ ସ୍ୱର୍ଗତ ସାହୁଙ୍କ ପରିବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ପରେ ହାଇକୋର୍ଟ ଏହା ଉପରେ ସ୍ଥଗିତାଦେଶ ଦେଇ ୨ ମାସ ମଧ୍ୟରେ ସମାଧାନର ବାଟ ଖୋଜିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏ ନିର୍ଦ୍ଦେଶ ମାନିବାର ଦୂରର କଥା ପୂର୍ତ୍ତ ବିଭାଗର ଟେଣ୍ଡର ପାଇ ଏହି କାମ କରୁଥିବା ଘରୋଇ ସଂସ୍ଥା ବିନା କୌଣସି ନୋଟିସ୍ରେ ପୁଣି ଏକ କଲଭର୍ଟ ନିର୍ମାଣ କରିବା ପାଇଁ ୧୦ ଫୁଟରୁ ଅଧିକା ଜମି ମାଡି ବସିଥିବା ସ୍ୱର୍ଗତ ସାହୁଙ୍କ ପରିବାର ବର୍ଗ ଅଭିଯୋଗ କରିଛନ୍ତି ।

TRINATH-2

ଏପରିକି ଏହି କଲଭର୍ଟ ନିର୍ମାଣ କାର‌୍ୟ୍ୟ ଚାଷବାସ ସମୟରେ ଆରମ୍ଭ କରାଯାଇଥିବାରୁ ଜଳ ନିଷ୍କାସନର ସମସ୍ୟା ଆଗକୁ ରହିଥିବା ସ୍ୱର୍ଗତ ଶ୍ରୀସାହୁଙ୍କ ପରିବାର ବର୍ଗ ଅଭିଯୋଗ ଆଣିଛନ୍ତି । ତେବେ ଏହି ଘଟଣାକୁ ନେଇ ପୂର୍ତ୍ତ ବିଭାଗ, ଜିଲ୍ଲାପାଳ, ରାଜ୍ୟ ପୂର୍ତ୍ତବିଭାଗର ମୁଖ୍ୟ କାର‌୍ୟ୍ୟ ନିର୍ବାହୀ ଯନ୍ତ୍ରୀଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି । ତେବେ ଏ ସଂପର୍କରେ ଗଜପତି ଜିଲ୍ଲା ପୂର୍ତ୍ତ ବିଭାଗର କାର‌୍ୟ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ଅଭିଯୋଗ ନେଇ ପଚାରିବାରୁ ସେ କହିଛନ୍ତି କୌଣସି ଜବର ଦଖଲ ହୋଇ ନାହିଁ ଏବଂ ଜଳ ନିଷ୍କସନ ନେଇ ଯେଉଁ ଅଭିଯୋଗ ହୋଇଛି ତାର ସମାଧାନ ତୁରନ୍ତ କରାଯିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.