କି ସାହସ ଏମାନଙ୍କର! ମଣିଷକୁ ପଶୁଙ୍କ ଇଞ୍ଜେକ୍ସନ ଦେଲେ ନକଲି ଡାକ୍ତର

କରଞ୍ଜିଆ(କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ମହୁଲଡିହାରେ ଜଣେ ବ୍ୟକ୍ତିଙ୍କୁ ଅଣ୍ଟା ବ୍ୟଥା ପାଇଁ ପଶୁଙ୍କ ପାଇଁ ବ୍ୟବହୃତ ଇଞ୍ଜେକ୍ସନ ଦେବାକୁ ନେଇ ଉତ୍ତେଜନା ଦେଖାଦେଇଥିବାବେଳେ ସମ୍ପୃକ୍ତ ଠକ ଚିକିତ୍ସକଙ୍କୁ ମହୁଲଡିହା ଥାନାରେ ଅଟକ ରଖାଯାଇ ପରେ  ଅଣ୍ଡରଟେକିଙ୍ଗ ଲେଖି ଛଡାଯାଇଥିବା ଜଣାପଡିଛି ।

ସମ୍ପୃକ୍ତ ଚିକିତ୍ସକ ଡାକ୍ତରୀ କିମ୍ବା ଫାର୍ମାସିଷ୍ଟ ପାଠ ପଢି ନାହାନ୍ତି। ହେଲେ ତାଙ୍କର ପ୍ରାକ୍ଟିସ ଚାଲିଛି ବୋଲି ସେ ଦାବି କରୁଛନ୍ତି ।
ଘଟଣାରୁ ପ୍ରକାଶଯେ, ମହୁଲଡିହା ଗ୍ରାମର ଶ୍ରୀକାନ୍ତ ମହାନ୍ତଙ୍କର ଅଣ୍ଟା ବଥା ହେଉଥିଲା । ଠକ ଚିକିତ୍ସକ ଶ୍ରୀକାନ୍ତଙ୍କ ଘରେ ପହଁଚିଥିଲେ। ତେବେ ଶ୍ରୀକାନ୍ତଙ୍କ ପତ୍ନୀ ତାଙ୍କୁ ଘରକୁ ଡ଼ାକିନେଇଥିଲେ। ଠକ ଚିକିତ୍ସକ ବିଶ୍ୱନାଥ ବେହେରା, ଶ୍ରୀକାନ୍ତଙ୍କ ଶରୀରରେ ୩ଟି ଇଞ୍ଜେକ୍ସନ ଦେଇଥିଲେ। ଆଉ ଡାକ୍ତର ଜଣଙ୍କ ଟଙ୍କା ମାଗିବାରୁ ଶ୍ରୀକାନ୍ତଙ୍କ ପତ୍ନୀ ପୁଅକୁ ଡକାଇଥିଲେ । ପୁଅ ଆସି ଦେଖନ୍ତିତ ଇଞ୍ଜେକ୍ସନ ପଶୁଙ୍କ ପାଇଁ ଉଦ୍ଦିଷ୍ଟ।

ସଙ୍ଗେ ସଙ୍ଗେ ଉକ୍ତ ଠକ ଡାକ୍ତରଙ୍କୁ ତୁରନ୍ତ ଥାନାକୁ ନେଇଥିଲେ । ତେବେ ଠାକୁରମୁଣ୍ଡା ଅଞ୍ଚଳରେ ନକଲି ଡାକ୍ତର ମାନଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଥିବା ଚର୍ଚ୍ଚା ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.