ଭୁବନେଶ୍ବର: ଲକ୍ଷାଧିକ ଟଙ୍କାର ଜାଲ୍ ନୋଟ୍ ଜବତ। ମୋଟ୍ ୪ ଲକ୍ଷ ୬୫ ହଜାର ଟଙ୍କାର ଜାଲ୍ ନୋଟ୍। ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଥାନା ଅଞ୍ଚଳରୁ କମିଶନରେଟ୍ ପୋଲିସର କୁଇକ୍ ଆକସନ୍ ଟିମ୍ ଏହି ଜାଲ୍ ନୋଟ୍ ସହ ନୋଟ୍ ଛାପିବାର ସରଞ୍ଜାମ ଜବତ କରିଛି। ୧୬ ନମ୍ବର ଜାତୀୟ ରାଜପଥ ନିକଟ ମହୁରା ବଜାର ଛକ ପାଖରୁ ୧୫ ହଜାର ୬ ଶହ ଟଙ୍କା ସହ ଜେରକ୍ସ ପ୍ରିଣ୍ଟର ଓ ଅନ୍ୟ ଜିନିଷ ପୋଲିସ୍ ଜବତ କରିଛି। ଏଠାରୁ ସୁରାକ ପାଇ ପୋଲିସ୍ ଟିମ୍ ବ୍ରହ୍ମପୁର ପାଲୁର ବଙ୍ଗଳା ସାହିରୁ ୪ ଲକ୍ଷ ୪୯ ହଜାର ୫୫୦ ଟଙ୍କାର ଜାଲି ନୋଟ୍ ଜବତ କରିଛି। ଶରତ ସାହୁ, ପ୍ରଣମ ଭୋଇ, ଦିଲୀପ ଭୋଇ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି।
ଏହି ଗ୍ୟାଙ୍ଗ କୋରାପୁଟ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବେପାର ଚଳାଇଥିଲେ। ଗଞ୍ଜାମ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ନୂଆପଡ଼ା ବଜାର ସାହିର ରମେଶ୍ୱର ମହାରଣା ଓରଫ ରମେଶ ଏହାର ମାଷ୍ଟର ମାଇଣ୍ଡ ବୋଲି ଜଣାପଡ଼ିଛି। ବିଶେଷ କରି ଏମାନେ ୨ ହଜାର, ୫ ଶହ ଓ ଶହେ ଟଙ୍କିଆ ନୋଟ୍ ଛାପିଛନ୍ତି। ଏଥିରେ ରହିଛି ୧୭୦ଟି ୨ ହଜାର ଟଙ୍କିଆ ନୋଟ୍, ଶହେଟି ୫ ଶହ ଟଙ୍କା, ଦୁଇ ଶହଟି ୨୦୦ଟଙ୍କା, ୩୨୨ଟି ଶହେ ଟଙ୍କା ଓ ୫୭ଟି ୫୦ ଟଙ୍କିଆ ନୋଟ୍।