Below header

ଅସଲି ସ୍କୁଲରେ ନକଲି ଗୁରୁ , ଚାକିରିରୁ ବିଦା ହେଲେ ୩୬ ଶିକ୍ଷକ

ବଲାଙ୍ଗିର ଶିକ୍ଷା ବିଭାଗରେ ରାଜ୍‌ କରୁଥିଲେ ନକଲି ଗୁରୁ । ବର୍ଷ ବର୍ଷ ଧରି ଅତି ଚାଲାକିଆ ଢଙ୍ଗରେ ଶିକ୍ଷା ଦାନ କରୁଥିଲେ ନକଲି ଶିକ୍ଷକ । ବଲାଙ୍ଗିର ଜିଲ୍ଲାରେ ୩୬ ଜଣ ଶିକ୍ଷକ ନକଲି ଶିକ୍ଷାଗତ ପ୍ରମାଣ ପତ୍ରରେ ଚାକିରି କରିଥିଲେ କିନ୍ତୁ ଧରା ପଡ଼ିବା ପରେ ଏବେ ବିଦା ହୋଇଥିବା ଜଣା ପଡିଛି ।

ସ୍କୁଲ ଅସଲି କିନ୍ତୁ ଶିକ୍ଷକ ନକଲି । ନିର୍ଭୟରେ କରୁଥିଲେ ଚାକିରି । କିନ୍ତୁ ଚୋର ଘର କେତେ ଦିନ ଅନ୍ଧାର ରହିବ ? ଦିନେ ନା ଦିନେ ତ ଧରା ପଡ଼ିବ ନା । ସମାନ ଭାବେ କିଛି ନକଲି ଶିକ୍ଷକ ଏବେ ଧରା ପଡ଼ିଛନ୍ତି । ବର୍ଷେ କି ଦୁଇ ବର୍ଷ ନୁହଁ କିଏ ଦଶ ବର୍ଷ ତ କିଏ ୧୫ ବର୍ଷର ଚାକିରି କରିବା ପରେ ବର୍ତ୍ତମାନ ଚାକିରି ହରାଇଛନ୍ତି । ଜିଲ୍ଲା ଶିକ୍ଷା ବିଭାଗର ରିପୋର୍ଟ ଅନୁସାରେ ୩୬ ଶିକ୍ଷକ ଚାକିରିରୁ ବିଦା ହୋଇଛନ୍ତି । ବର୍ଷ ବର୍ଷ ଧରି ଚାଲିଥିଲା ନକଲି ଗୁରୁଙ୍କ ଶିକ୍ଷାଦାନ । ନକଲି ଶିକ୍ଷାଗତ ପ୍ରମାଣ ପତ୍ରରେ କରୁଥିଲେ ଅସଲି ଚାକିରି । ଆଉ ସରକାରଙ୍କ ଠାରୁ ମୋଟା ଅଙ୍କର ଦରମା ବି ନେଉଥିଲେ । ଶିକ୍ଷା ବିଭାଗର ରିପୋର୍ଟ ଅନୁସାରେ କେଉଁ ନକଲି ଗୁରୁ ଜେଲ ଯାଇଛି ତ ଆଉ କିଏ ଜେଲ ନଯାଇ ବେଲରେ ଅଛି । ଆଉ କିଛି ନକଲି ଗୁରୁ ପୋଲିସକୁ ଚକମା ଦେଇ ଫେରାର ବି ଅଛନ୍ତି ।

ବଲାଙ୍ଗିର ଶିକ୍ଷା ବିଭାଗରେ ରାଜ୍‌ କରୁଥିଲେ ନକଲି ଗୁରୁ । ବର୍ଷ ବର୍ଷ ଧରି ଅତି ଚାଲାକିଆ ଢଙ୍ଗରେ ଶିକ୍ଷା ଦାନ କରୁଥିଲେ ନକଲି ଶିକ୍ଷକ । ବଲାଙ୍ଗିର ଜିଲ୍ଲାରେ ୩୬ ଜଣ ଶିକ୍ଷକ ନକଲି ଶିକ୍ଷାଗତ ପ୍ରମାଣ ପତ୍ରରେ ଚାକିରି କରିଥିଲେ କିନ୍ତୁ ଧରା ପଡ଼ିବା ପରେ ଏବେ ବିଦା ହୋଇଥିବା ଜଣା ପଡିଛି । ଏହି ନକଲି ଶିକ୍ଷକଙ୍କ ତାଲିକା ପ୍ରକାଶ କରିଛି ଶିକ୍ଷା ବିଭାଗ । ଏହି ୩୬ ଜଣ ନକଲି ଶିକ୍ଷକଙ୍କୁ ବାଦ୍‌ ଦେଲେ ଏବେ ବି ଅନେକ ଶିକ୍ଷକ ଜାଲ ଶିକ୍ଷାଗତ ପ୍ରମାଣ ପତ୍ରରେ ଚାକିରି କରୁଥିବା ସନ୍ଦେହ କରାଯାଉଛି । ତେବେ ଏନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ବଲାଙ୍ଗିର ଜିଲ୍ଲାରେ ବର୍ଷ ବର୍ଷ ଧରି ଶିକ୍ଷକତା କରିଛନ୍ତି ଏହି ନକଲି ଶିକ୍ଷକ । ଏହି ଶିକ୍ଷକଙ୍କ ନିଯୁକ୍ତି ସମୟରେ ଶିକ୍ଷା ବିଭାଗ କିପରି ଜାଣି ପାରିଲା ନାହିଁ ତାକୁ ନେଇ ପ୍ରଶ୍ନ ଉଠୁଛି । ଏବେ ଥାନାରେ ମାମଲା ପହଞ୍ଚିବା ପରେ ଆଗମ୍ଭ ହୋଇଛି ତନାଘନା । ଗତ ୨୦୨୧ରେ ବଲାଙ୍ଗିର ଜିଲ୍ଲାରେ ୩୦୬ ଓ ୨୦୨୨ରେ ୩୦୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନୂତନ ଭାବରେ ଚାକିରି କରିଥିଲେ । ସେମାନଙ୍କ ମଧ୍ୟରୁ ବାହର ରାଜ୍ୟରେ ପାଠପଢି ୨୫୧ ଜଣ ଚାକିରି ପାଇଛନ୍ତି । ଏବେ ଏହି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଶିକ୍ଷାଗତ ପ୍ରମାଣ ପତ୍ରର ଯାଞ୍ଚ ଆରମ୍ଭ ହୋଇଛି । ରାଜ୍ୟ ବାହାରେ ଥିବା ୩୩ଟି ବିଶ୍ୱବିଦ୍ୟାଳୟକୁ ତଥ୍ୟ ମାଗିଛି ବଲାଙ୍ଗିର ଜିଲ୍ଲା ଶିକ୍ଷା ବିଭାଗ । ଗୋଟି ଗୋଟି କରି ତଥ୍ୟ ଆସୁଛି ଆଉ କିଛି ନକଲି ଶିକ୍ଷକ ଚିହ୍ନଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ବଲାଙ୍ଗିର ଜିଲ୍ଲାରେ କିଛି ମାସ ପୂର୍ବରୁ ନକଲି ସାର୍ଟିଫିକେଟ ରାକେଟ ଘଟଣା ଜଣା ପଡିଥିଲା । ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ପରି ବାହାରିଲା ମାଳ ମାଳ ନକଲି ଶିକ୍ଷାଗତ ପ୍ରମାଣପତ୍ର । ଦେଶର ଅନେକ ବିଶ୍ୱବିଦ୍ୟାଲୟର ନକଲି ପ୍ରମାଣ ପତ୍ରର ହବ୍‌ ସାଜିଥିଲା ବଲାଙ୍ଗିରର କୋଚିଂ ସେଣ୍ଟର । ୧୯ ଜଣ ଅଭିଯୁକ୍ତ ଗିରଫ ହେବା ସହିତ ନକଲି କାଗଜପତ୍ର ଜବତ ହୋଇଥିଲା । ଏନେଇ ଏବେ ବି ତଦନ୍ତ ଜାରି ରହିଛି । ଡାକ ବିଭାଗରେ ଜାଲ ଶିକ୍ଷାଗତ ପ୍ରମାଣ ପତ୍ରରେ କିଛି ଆବେଦନକାରୀ ଚାକିରି ଆବେଦନ କରିବା ପରେ ଏହି ଘଟଣା ପଦାକୁ ଆସିଥିଲା । ଏବେ ଶିକ୍ଷା ବିଭାଗରେ ନକଲି ଶିକ୍ଷକଙ୍କ ତାଲିକା ପ୍ରକାଶ ପାଇଛି । କେବଳ ଡାକବିଭାଗ କି ଶିକ୍ଷା ବିଭାଗ ନୁହଁ ସ୍ୱାସ୍ଥ୍ୟ ବିଭାଗ , ସମବାୟ ବିଭାଗ ଓ ବନ ବିଭାଗରେ ବି ନକଲି ଶିକ୍ଷାଗତ ପ୍ରମାଣ ପତ୍ରରେ ଚାକିରି ପାଉଥିବା ଅଭିଯୋଗ ହୋଇଛି ।

ନକଲି ଶିକ୍ଷକଙ୍କ ଉପରେ ପୋଲିସ ତଦନ୍ତ ଜାରି ରଖିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ବଲାଙ୍ଗିର ଜିଲ୍ଲାରେ ବର୍ଷ ବର୍ଷ ଧରି ନକଲି ଶିକ୍ଷକ ଚାକିରି କରିବା ପରେ ବି କିପରି ଶିକ୍ଷା ବିଭାଗ ଜାଣି ପାରି ନଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଯଦି ନକଲି ଶିକ୍ଷକ ଏମିତି ଶିକ୍ଷାଦାନ କରିବେ ତେବେ ପିଲାମାନଙ୍କ ଭବିଷ୍ୟତ ଯେ କଣ ହେବ ତାହା ନକହିବା ଭଲ । ଯଦି ଏ ଘଟଣାକୁ ନେଇ ସଠିକ୍‌ କାର୍ଯ୍ୟାନୁଷ୍ଠାନ ନିଆଯାଏ ତେବେ ପିଲାମାନଙ୍କ ଭବିଷ୍ୟତ ନଷ୍ଟ ହେବ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.