ପାଳିତ ହୋଇଛି ପୁରାଣ ପ୍ରସିଦ୍ଧ ଓଳକଣା ଦୋଳ ମେଳଣ

କଟକ ଜିଲ୍ଲାର ଓଳକଣା ଠାରେ ପୁରାଣ ପ୍ରସିଦ୍ଧ ଓଳକଣା ଦୋଳ ମେଳଣ ଅନୁଷ୍ଠିତ ହୋଇ ଯାଇଛି। ଦର୍ଶନ ପାଇଁ ଆସିଥିଲେ ଅନେକ ଶ୍ରଦ୍ଧାଳୁ ।

କଟକ ଜିଲ୍ଲାର ଓଳକଣା ଠାରେ ପୁରାଣ ପ୍ରସିଦ୍ଧ ଓଳକଣା ଦୋଳ ମେଳଣ ଅନୁଷ୍ଠିତ ହୋଇ ଯାଇଛି। ଏହି ପୁରାଣ ପ୍ରସିଦ୍ଧ ମେଳଣ କାହିଁ କେଉଁ କାଳରୁ ହୋଇ ଆସୁଅଛି। ପୂରାଣ ଯୁଗର କଥା। ପାଞ୍ଚ ପାଣ୍ଡବ ପଶା ଖେଳରେ କୌରବ ମାନଙ୍କ ଠାରୁ ହାରିଯିବା ଫଳରେ ସର୍ତ୍ତ ଅନୁଯାୟୀ ୧୨ ବର୍ଷ ଅଜ୍ଞାତ ବନବାସରେ ରହି ଯେତେବେଳେ ହସ୍ତିନାପୁର କୁ ଫେରିଲେ, ସେତେବେଳେ ତାଙ୍କୁ ରହିବା ପାଇଁ ପଡ଼ା ଦିଆ ଯାଇନଥିଲା । ମହାପ୍ରଭୁ ଶ୍ରୀକୃଷ୍ଣ ପାଣ୍ଡବ ମାନଙ୍କ ପାଇଁ କୌରବ ରାଜା ଦୁର୍ଯ୍ୟୋଧନ ପାଖକୁ ଯାଇଥିଲେ ଏମାନଙ୍କୁ ୫ ଗୋଟି ପଡ଼ା ପାଇଁ ଭିକ୍ଷା ମାଗିଥିଲେ । ମହାପ୍ରଭୁ ଶ୍ରୀକୃଷ୍ଣ ମନଦୁଃଖର ଫେରିଆସି ଓଳକଣା ପଡିଆ ଠାରେ ବିଦୁରଙ୍କ ଆଶ୍ରମଠାରେ ପହଂଚିଥିଲେ । ବିଦୁର ମହାପ୍ରଭୁ ଶ୍ରୀକୃଷ୍ଣ କୁ ଶାଗ ଭାତ ଦେଇ ତାଙ୍କ କ୍ଷୁଧା ମେଣ୍ଟାଇଥିଲେ।

ପ୍ରଭୁ ଶ୍ରୀକୃଷ୍ଣ ଭକ୍ତ ବିଦୁର ଙ୍କ ଆତିଥ୍ୟ ରେ ମୁଗ୍ଧ ହୋଇ କହିଥିଲେ, ମୋତେ କହିଲେ କି ବର ମାଗୁଛୁ ମାଗ। ବିଦୂର କହିଲେ ପ୍ରଭୁ ମୁଁ ଆପଣଙ୍କୁ ହର ଆଉ ହରି ରୂପରେ ଦେଖିବା ପାଇଁ ଚାହୁଁଚି । ପ୍ରଭୁ ଶ୍ରୀକୃଷ୍ଣ ବିଦୂର ଙ୍କୁ କହିଲେ, ଫାଲଗୁନ ଶୁକ୍ଲ ଚତୁର୍ଦ୍ଦଶୀ ତିଥିର ବ୍ରାହ୍ମ ମୁହୂର୍ତ୍ତରେ ମୋତେ “ହରିହର” ରୂପରେ ଦର୍ଶନ ପାଇବୁ। ସେହି କଥାକୁ ରକ୍ଷା କରି ପ୍ରଭୁ ଶ୍ରୀକୃଷ୍ଣ, ଭଦ୍ରେଶ୍ୱର ବିମାନରେ ରାଧାକୃଷ୍ଣଙ୍କ ବିଗ୍ରହ ସହ ସଂହାରକର୍ତା ହର ଙ୍କ ଚୁଳମାଳ ସହ ଏଠାକୁ ଆସିଥାନ୍ତି। ଶ୍ରୀ ବୀରଭଦ୍ରେଶ୍ବର ଙ୍କ ପୀଠରୁ ଆସୁଥିବା ଏହି ପୁଷ୍ପକ ବିମାନରେ ରାଧାକୃଷ୍ଣଙ୍କ ବିଗ୍ରହ ସହ “ହର” ଙ୍କୁ ଦ୍ଵାରପାଳ ରୂପେ ଜଗିବା ପାଇଁ ତମ୍ବା ନିର୍ମିତ ଦୁଇଟି ନାଗ ବିଗ୍ରହ ସ୍ଥାପନ କରାଯାଏ।

ଏହି ବିମାନ ସହ ୧୦୮ ଘଣ୍ଟୁଆ ଘଣ୍ଟ ନାଦ କରି ପ୍ରଭୁଙ୍କୁ ପାଛୋଟି ଆଣନ୍ତି ମେଲଣ ପଡିଆକୁ। ଆଧ୍ୟାତ୍ମିକ ର ପରିବେଶ ସୃଷ୍ଟି ହୁଏ ସମଗ୍ର ଅଂଚଳରେ। ଆଉ ଭକ୍ତ ବିଦୁର ମାଗିଥିବା ବର ଅନୁସାରେ ଶ୍ରୀକୃଷ୍ଣ ଆଜିର ଦିନର ବ୍ରାହ୍ମ ମୁହୂର୍ତ୍ତରେ “ହରିହର” ରୂପେ ଦର୍ଶନ ଦିଅନ୍ତି। ଶତାଧିକ ବିମାନରେ କେବଳ ରାଧା କୃଷ୍ଣ ଆସୁଥିବାବେଳେ କେବଳ ଗୋଟିଏ ବିମାନରେ ହର ଓ ହରି ଆସିଥାନ୍ତି l ଏହି ପରମ୍ପରା କାହିଁ କେଉଁ ପୁରାଣ ଯୁଗରୁ ପ୍ରଚଳିତ ହୋଇ ଆସୁଅଛି। ସବୁଠାରୁ ବଡ଼ କଥା ହେଲା, ଏହି ଓଳକଣା ମେଲଣ ପଡିଆ କୁ ଯେତେ ବିମାନ ଆସିଥାନ୍ତି କାହାରିକୁ ନିମନ୍ତ୍ରଣ କରାଯାଇ ନଥାଏ, କି ବିଦାକି ଦିଆ ଯାଇନଥାଏ। ଏଠି ଭକ୍ତ ଆଉ ଭଗବାନ ସମସ୍ତେ ଏକକାର।

ଏହି ଓଳକଣା ପଡିଆ କୁ ପୂର୍ବ ଦିଗରୁ ଆଳି ରାଜାଘର ବିମାନ ଙ୍କ ସହ ମା’ ଲକ୍ଷ୍ମୀ ଠାକୁରାଣୀ ଙ୍କ ବିମାନ ପ୍ରବେଶ କଲା ପରେ ଅନ୍ୟ ବିମାନ ପ୍ରବେଶ କରିଥାନ୍ତି ।ପଶ୍ଚିମ ଦିଗରୁ ଲଳିତଗିରି ବିମାନ ପ୍ରବେଶ କଲା ପରେ ଅନ୍ୟ ବିମାନ ପ୍ରବେଶ କରନ୍ତି l ସେହିପରି ଉତ୍ତରଦିଗରୁ ଓଳାସୁଣୀ ବିମାନ ସହ ମିଶ୍ର ଘର ବିମାନ ପଡିଆକୁ ପ୍ରବେଶ କଲାପରେ ଶେଷରେ ଅନ୍ୟ ବିମାନ ପ୍ରବେଶ କରିଥାନ୍ତି। ସେହିପରି ଦକ୍ଷିଣ ଦିଗରୁ ମଣ୍ଡୁଅ ବିମାନ ପ୍ରବେଶ କଲା ପରେ ଅନ୍ୟ ବିମାନ ସବୁ ପ୍ରବେଶ କରନ୍ତି l ସମସ୍ତ ବିମାନ ପଡ଼ିଆରେ ଥିବା ହର ଆଉ ହରି ଙ୍କ ଦ୍ଵାର ଦେଇ ପ୍ରବେଶ କରନ୍ତି l ସମସ୍ତ ବିମାନ କୁ ପାରମ୍ପରିକ ପଟୁଆରରେ ପଡିଆକୁ ପ୍ରବେଶ କରନ୍ତି l ଯଥା ଘଣ୍ଟ ଘଣ୍ଟା , କୀର୍ତ୍ତନ , ଷେଣ୍ଢ ନାଚ, ଡିବି ଝାଡ଼ ଓ ମଶାଲ ବତି ଶହ ଆତାସବାଜି ସହ ଯେତେବଳେ ପଡ଼ିଆରେ ପ୍ରବେଶ ହୋଇଥାଏ ସେତେବେଳେ ଆଧ୍ୟାତ୍ମିକ ଭାବବେଗ ର ପରିବେଶ ସୃଷ୍ଟି ହୋଇଥାଏ।

ଶେଷରେ ବୀର ଭଦ୍ରେଶ୍ୱର ଙ୍କ ବିମାନ ଆସିଲା ପରେ ବିଦୁର ଙ୍କ ନିକଟରେ ଆଳତି ଏକା ସାଙ୍ଗରେ ହେଲା ପରେ ମେଳଣ କାର୍ଯ୍ୟ ସମାପନ ହୋଇଥାଏ l ଓଡ଼ିଶାର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ ହରିହର ଦର୍ଶନ ନିମନ୍ତେ lବିଶ୍ବସ ଅଛି ଏହି ଓଲକଣା ମେଲଣ କୁ ଯିଏ ଥରୁଟିଏ ଆସେ ତାହାର ମନୋକାମନା ପୂରଣ ହେବା ସହ ଭକ୍ତ ଓ ଭଗବାନ ଙ୍କ ସହ ମିଳନ ଘଟିଥାଏ ବୋଲି ବିଶ୍ୱାସ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.