ପ୍ରସିଦ୍ଧ ସାହିଯାତରେ ଦୁଲୁକୁଛି ଶ୍ରୀକ୍ଷେତ୍ର, ଉଜ୍ଜଳ ଆଲୋକମାଳାରେ ଝଲସୁଛି ୭ ସାହି ଓ ୪୨ ଗଳିକନ୍ଦି

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ପବିତ୍ର ରାମନବମୀ ଠାରୁ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ସାହିଯାତ ଆରମ୍ଭ ହୋଇଛି । ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ଯାଗା ଆଖଡ଼ା । ବୀରବାଦ୍ୟର ଶବ୍ଦରେ ପ୍ରକମ୍ପିତ ହେବ ଶ୍ରୀକ୍ଷେତ୍ର । ଉଜ୍ଜଳ ଆଲୋକମାଳାରେ ଝଲସିବ ୭ ସାହି ଓ ୪୨ ଗଳିକନ୍ଦି ।

ଉତ୍କଳୀୟ ସଂସ୍କୃତିର ସମଗ୍ର ଶାଖା ପ୍ରଶାଖାର ମୂଳ ହେଲା ଶ୍ରୀମନ୍ଦିର । ନୃତ୍ୟ, ସଂଗୀତ, ବୀରତ୍ୱ ପ୍ରସଙ୍ଗ ଅଥବା ଶାରୀରିକ କୌଶଳ ଏ ସବୁର ଆଦ୍ୟ ହେଲେ ମହାପ୍ରଭୁ ନିଜେ । ଶ୍ରୀକ୍ଷେତ୍ରର ସାହିଯାତ ଏ ସବୁ କଳାର ଏକ ପ୍ରଧାନ ଅଙ୍ଗ, ଯାହାକି ଆରମ୍ଭ ହୁଏ ପବିତ୍ର ଶ୍ରୀରାମ ନବମୀ ଠାରୁ । ଏହି ଏକାଦଶ ଦିନାତ୍ମକ ପର୍ବ ଚୈତ୍ର ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଠାରୁ ବୈଶାଖ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ପର୍ଯ୍ୟନ୍ତ ପାଳିତ ହୁଏ । ଚଳିତ ବର୍ଷ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ପବିତ୍ର ରାମନବମୀ ଠାରୁ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ସାହିଯାତ ଆରମ୍ଭ ହୋଇଛି ।

ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ଯାଗା ଆଖଡ଼ା । ବୀରବାଦ୍ୟର ଶବ୍ଦରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର । ଉଜ୍ଜଳ ଆଲୋକମାଳାରେ ଝଲସୁଛି ୭ ସାହି ଓ ୪୨ ଗଳିକନ୍ଦି । ଏହାସହ ମଲ୍ଲୀଫୁଲ ମାଳାର ବାସ୍ନାରେ ମହକୁଛି ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ରୀତିନୀତି ସହ ସାହିଯାତ ଜଡିତ । ସାହିଯାତର ପ୍ରଥମ ଦିବସରେ କାଳିକାଦେବୀ ସାହି ଆଖଡ଼ା ପକ୍ଷରୁ ରାମ ଜନ୍ମ ନୀତି ପାଳିତ ହୋଇଛି । ଏହି ଅବସରରେ ଶ୍ରୀରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ଋଷ୍ୟଶୃଙ୍ଗ ଆଦି ଚରିତ୍ର ସାହିରୁ ବାହାରି ପ୍ରଥମେ ମା’ ଦକ୍ଷିଣ କାଳୀଙ୍କୁ ଦର୍ଶନ କରିବା ସହ ଆଜ୍ଞାମାଳ ପ୍ରାପ୍ତ ହୋଇଥିଲେ ।

ପରେ ଏହି ଚରିତ୍ରମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଶ୍ରୀରାମ ଜନ୍ମ ନୀତିରେ ସାମିଲ ହୋଇଥିଲେ । ସେଠାରୁ ଚରୁ ଅନ୍ନ ଆଣି ମା’ ଦକ୍ଷିଣ କାଳୀଙ୍କୁ ଅର୍ପଣ କରାଯିବ ପରେ ରାମ, ଲକ୍ଷ୍ମଣ ଚରିତ୍ରମାନେ ବନ୍ଧୁ ସାହି ମାଟି ମଣ୍ଡପ ସାହି ପରିକ୍ରମା କରିଥିଲେ । ନାଗା, ସପ୍ତ ଶିରା ସହ ବିଭିନ୍ନ ପ୍ରକାର ମେଢ଼ ନୃତ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସପି ପିନାକ ମିଶ୍ର, ଉପଜିଲ୍ଲାପାଳ ଗୋପୀନାଥ କୁଅଁର, କାଳିକା ଦେବୀ ସାହି ଆଖଡ଼ାର ସଭାପତି ଲକ୍ଷ୍ମୀକାନ୍ତ ରଥ, ସମ୍ପାଦକ ପ୍ରଫୁଲ୍ଲ ଖୁଣ୍ଟିଆ ପ୍ରମୁଖ ପ୍ରଥମ ଦିବସ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ତେବେ ଏହି ସାହିଯାତରେ ଯଜ୍ଞରକ୍ଷା, ଶିବଧନୁ ଭଙ୍ଗ, ସୀତାବିବାହ, ପର୍ଶୁରାମ ଲୀଳା, ମାୟାମୃଗ ଲୀଳା, ଲଙ୍କାପୋଡି ଲୀଳା ଓ ରାବଣବଧ ଆଦି ମଧ୍ୟ ପରିବେଷଣ ହୋଇଥାଏ । ଏପଟେ ସାହିଯାତକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ତଥା ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.