Below header

ପାନବରଜ ଚାଷୀ ଓ କିଆଫୁଲ ଚାଷୀଙ୍କ ପାଇଁ ଖୁସି ଖବର, ରାଜ୍ୟ ଯୋଜନରେ ମିଳିବ ସ୍ୱତନ୍ତ୍ର ସହାୟତା

ପାନବରଜ ଚାଷୀ ଓ କିଆଫୁଲ ଚାଷୀଙ୍କ ପାଇଁ ଖୁସି। ପାନ ଚାଷକୁ ‘ରାଜ୍ୟ ଯୋଜନା’ରେ ମିଳିବ ସ୍ବତନ୍ତ୍ର ଆର୍ଥିକ ସହାୟତା । ପାନ ବରଜ ଥିବା ଚାଷୀ ମାନଙ୍କୁ ଏହାର ପରିଚାଳନା ପାଇଁ ୟୁନିଟ ପିଚ୍ଛା ୨୫୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବ।

ଭୁବନେଶ୍ୱର (କେନ୍ୟୁଜ): ପାନବରଜ ଚାଷୀ ଓ କିଆଫୁଲ ଚାଷୀଙ୍କ ପାଇଁ ଖୁସି। ପାନ ଚାଷକୁ ‘ରାଜ୍ୟ ଯୋଜନା’ରେ ମିଳିବ ସ୍ବତନ୍ତ୍ର ଆର୍ଥିକ ସହାୟତା । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ  ଭି.କେ. ପାଣ୍ଡିଆନଙ୍କ ପୁରୀ ଓ ଗଞ୍ଜାମ ଗସ୍ତ ସମୟରେ ସ୍ଥାନୀୟ ପାନବରଜ ଚାଷୀ ଓ କିଆ ଫୁଲ ଚାଷୀ ମାନଙ୍କ ପକ୍ଷରୁ ବିଭିନ୍ନ ଅସୁବିଧା ସଂପର୍କରେ ଅନେକ ଆପତ୍ତି ଅଭିଯୋଗ ଆସିଥିଲା । ସେ ସବୁର ସମାଧାନ ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ସହିତ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ  ଅରବିନ୍ଦ ପାଢୀ, ସମବାୟ ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

ବୈଠକର ନିଷ୍ପତ୍ତି ଅନୁଯାୟୀ, ସବୁ ପାନ ଚାଷୀ ମାନଙ୍କୁ ରାଜ୍ୟ ଯୋଜନାର ସ୍ବତନ୍ତ୍ର ଫଳଭିତ୍ତିକ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଅତି କମ୍‌ରେ ୨୦୦ ବର୍ଗମିଟର ପରିଧିର ପାନ ବରଜ ଥିବା ଚାଷୀ ମାନେ ସହାୟତା ପାଇଁ ଯୋଗ୍ୟ ବିବେଚିତ ହେବେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏଥିପାଇଁ ସ୍ବତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରିବ ।

ପାନ ବରଜ ଥିବା ଚାଷୀ ମାନଙ୍କୁ ଏହାର ପରିଚାଳନା ପାଇଁ ୟୁନିଟ ପିଚ୍ଛା ୨୫୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବ। ଜଣେ ଚାଷୀକୁ ସର୍ବାଧିକ ଦୁଇଟି ୟୁନିଟ ପାଇଁ ସହାୟତା ମିଳିବ। ପାନ ଚାଷ ପାଇଁ କିଶାନ କ୍ରେଡିଟ କାର୍ଡ ଜରିଆରେ ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ।

ପାନ ପତ୍ର ବ୍ୟବସାୟରେ ଜିଏସ୍‌ଟି ଲାଗୁ ସଂପର୍କରେ ଜିଏସଟି କମିଶନରଙ୍କୁ ଠାରୁ ସ୍ପଷ୍ଟୀକରଣ ମଗାଯିବା ସହିତ ଏହା ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ । ପାନ ପତ୍ର ପ୍ରକ୍ରିୟାକରଣ ୟୁନିଟ ଗୁଡିକୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସବ୍‌ସିଡି ଯୋଗାଇ ଦିଆଯିବ। ଏଥିପାଇଁ ଆପିକଲ୍‌ ପକ୍ଷରୁ ଏକ ଡି.ପି.ଆର ପ୍ରସ୍ତୁତ କରାଯିବ।

ସେହିପରି ଗଞ୍ଜାମର କିଆଫୁଲ ଚାଷୀମାନଙ୍କୁ ମଧ୍ୟ ଜାତୀୟ ଉଦ୍ୟାନ କୃଷି ଅଧୀନରେ ପ୍ରୋତ୍ସାହନ ଦିଆଯିବ। ଉଦ୍ୟାନ କୃଷି ମିଶନର ସହାୟତା ସହିତ ରାଜ୍ୟ ବଜେଟରୁ କିଆଫୁଲ ଚାଷ ପାଇଁ ଅତିରିକ୍ତ ସହାୟତା ମଧ୍ୟ ଦିଆଯିବ। କିଆଫୁଲ ଚାଷ ସ୍ଥାନ ଗୁଡିକର ସାଇଣ୍ଟିଫିକ୍‌ ମ୍ୟାପିଂ କରାଯାଇ ଏହି ସହାୟତା ଦିଆଯିବ। ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗସ୍ତ ହୋଇଥିବା କିଆଫୁଲ ଫସଲ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ରିପୋର୍ଟ ଭିତ୍ତିରେ ସହାୟତା ଦିଆଯିବ। ଏଥିପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଗଞ୍ଜାମ ଜିଲ୍ଲାପାଳ ମିଳିତ ଭାବେ ମୋଡାଲିଟି ପ୍ରସ୍ତୁତ କରିବେ ।

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କିଆଫୁଲ ପ୍ରକ୍ରିୟାକରଣ ୟୁନିଟକୁ ସାମିଲ କରିବା ପାଇଁ ଯୋଜନାର ନିୟମାବଳୀରେ ଆବଶ୍ୟକ ପରିବର୍ତ୍ତନ କରାଯିବ। ଗଞ୍ଜାମ ଜିଲ୍ଲାରେ କିଆଫୁଲ ଚାଷକୁ ପ୍ରୋତ୍ସାହିତ କରିବାକୁ ବୈଷୟିକ ସହାୟତା ଯୋଗାଇ ଦେବା ପାଇଁ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ କିମ୍ବା ଅନ୍ୟ କୌଣସି ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନର ସହାୟତା ନିଆଯିବ ବୋଲି ନିଷ୍ପତ୍ତି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.