ଚୌଦ୍ୱାର ନୂଆପାଟଣା ଛକରେ କାର ଉପରକୁ ଗୁଳିମାଡ଼, ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଲାଲା ଲଳିତ ମୋହନ ସିଂହ ଆହତ
କଟକ(କେନ୍ୟୁଜ୍): କଟକରେ ଗୁଳିମାଡ଼ । ଚୌଦ୍ୱାର ନୂଆପାଟଣା ଛକରେ କାର ଉପରକୁ ଗୁଳିମାଡ଼ ହୋଇଛି । ଏଥିରେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଲାଲା ଲଳିତ ମୋହନ ସିଂହ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଏସ୍ସିବିରେ ଭର୍ତ୍ତି କରାଯାଇଛି । ଏହାସହ କାରରେ ବସିଥିବା ମହିଳାଙ୍କ ବେକରୁ ସୁନା ଚେନ୍ ଓ ଟଙ୍କା ଛଡାଇ ନେଇଛନ୍ତି ଦୁର୍ବୃତ୍ତ।
ମିଳିଥିବା ସୂଚନା ଅନୁଯାୟୀ ବନବିଭାଗ କର୍ମଚାରୀ ଲାଲା ଲଳିତ ମୋହନ ସିଂହ ପରିବର ସହ କାରରେ ପୁରୀରୁ ଢେଙ୍କାନାଳ ଯାଉଥିଲେ । ଏହି ସମୟରେ ରାଇସମିଲ ଛକ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି କାରକୁ ଅଟକାଇଥିଲେ। ଏହାପରେ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । କିଏ ଓ କାହିଁକି କାର୍ ଉପରକୁ ଗୁଳିମାଡ଼ କଲା, ତାହା ଜଣାପଡ଼ିନାହିଁ । ଦୁର୍ବୃତ୍ତଙ୍କୁ ଧରିବାକୁ ପୋଲିସର ତନାଘନା ଜାରି ରହିଛି।