ପ୍ରଥମେ ଦୁଷ୍କର୍ମ ପରେ ବିବାହ: ସବୁକିଛି ଠିକ୍ ହେଲାପରେ ଏବେ ସ୍ବାମୀ ଗଲେ ୨୦ ବର୍ଷ ଜେଲ୍, ସ୍ତ୍ରୀ ଆଖିରୁ ଶୁଖୁନି ଲୁହ

ଅନୁଗୁଳ(କେନ୍ୟୁଜ୍): ସ୍ୱାମୀ ସ୍ତ୍ରୀ ସାଙ୍ଗ ହୋଇ ଆସିଥିଲେ କୋର୍ଟକୁ। ହେଲେ ସ୍ତ୍ରୀ ଫେରିଲେ ଏକା। ପ୍ରକ୍ରୁତ କଥାଟି ହେଉଛି ସ୍ବାମୀ ଜଣକ ଗଲେ ସିଧା ଜେଲ୍। ତା ପୁଣି ଦିନଟେ କି ବର୍ଷଟେ ପାଇଁ ନୁହେଁ। ଏହାଥରକେ ୨୦ ବର୍ଷ ପାଇଁ । ଏଭଳି ଏକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ।
ବାପା ମା ଛେଉଣ୍ଡ ଯୁବତୀ ଜଣକ ଯେତେବେଳେ ନାବାଳିକା ଥିଲେ। ଘରେ ଏକୁଟିଆ ଥିବା ସୁଯୋଗ ନେଇ ସେହି ଗାଁର ଗୋବର୍ଦ୍ଧନ ନାଏକ ଜଣକ ଜଣେ ଯୁବକ ତାଙ୍କ ସହ କରିଥିଲେ ଦୁଷ୍କର୍ମ । ତେବେ ନାବାଳିକା ଜଣକ ଏକଥା ସମସ୍ତଙ୍କୁ କହିଦେବେ ବୋଲି ଧମକ ଦେବାରୁ ଗୋବର୍ଦ୍ଧନ ତାଙ୍କୁ ନେହୁରା ହୋଇ କିଛିଦିନ ପରେ ବିବାହ କରିବାକୁ ପ୍ରତିଶୃତି ଦେଇଥିଲେ। କିନ୍ତୁ ପରେ ବିବାହ କରିବାକୁ ମନା କରିଦେଲେ। ଏହାପରେ ନାବାଲିକାଙ୍କ ମାମୁଁ ଏନେଇ ଗତ ୨୦୨୧ ଜାନୁଆରୀ ୧ ତାରିଖରେ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଗୋବର୍ଦ୍ଧନଙ୍କ ବିରୋଧରେ ବିଭିନ୍ନ ଦଫା ଲଗାଇ କୋର୍ଟ ଚାଲାଣ କରିଥିଲା। ସେହି ବର୍ଷ ଅଗଷ୍ଟ ମାସରେ ଗୋବର୍ଦ୍ଧନଙ୍କୁ ଜାମିନ ମିଳିଯାଇଥିଲା। ଏହା ଭିତରେ ତାଙ୍କ ମନ ମଧ୍ୟ ପରିବର୍ତ୍ତନ ହୋଇ ଯାଇଥିଲା। ସେ ନିଜର ଭୁଲ ପାଇଁ ଅନୁତପ୍ତ ହୋଇ ପୀଡିତା ନାବାଳିକାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଇତି ମଧ୍ୟରେ ନାବାଳିକା ଜଣକ ସାବାଳିକା ହୋଇ ଯାଇଥିବାରୁ ଉଭୟଙ୍କ ନିଷ୍ପତି ଅନୁସାରେ ପ୍ରଥମେ ମନ୍ଦିରରେ ବିବାହ ଓ ପରେ ରେଜେଷ୍ଟ୍ରି ବିବାହ ହୋଇଥିଲା। ସେହି ଦିନରୁ ଉଭୟେ ବେଶ୍ ହସ ଖୁସିରେ ସ୍ୱାମୀ ସ୍ତ୍ରୀ ଭାବେ ରହି ଆସୁଥିଲେ।
ହେଲେ ସେମାନଙ୍କ ଏହି ଖୁସି ବେଶି ଦିନ ତିଷ୍ଠି ପାରି ନଥିଲା। ଯେହେତୁ ଗୋବର୍ଦ୍ଧନଙ୍କ ବିରୋଧରେ ପୋକସ ଆଇନ ବଳରେ ମକଦମା ଚାଲିଥିଲା ତେଣୁ ଅନୁଗୁଳର ଫାଷ୍ଟଟ୍ରାକ କୋର୍ଟ ଗତ ୩୧ତାରିଖ ଏହାର ଶୁଣାଣି କରିଥିଲେ। ୨୩ଜଣ ସାକ୍ଷୀ ଓ ପାରିପାର୍ଶ୍ବିକ ସ୍ଥିତି ଆଧାରରେ ଗୋବର୍ଦ୍ଧନଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହାପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା। ହେଲେ ଗୋବର୍ଦ୍ଧନ ଜେଲ ଯିବା ପରେ ତାଙ୍କ ବୈବାହିକ ଜୀବନ ଏକ ପ୍ରକାର ଛିନ ଭିନ୍ ହୋଇପଡିଛି।
ଅଦାଲତଙ୍କ ଏହି ରାୟ ପରେ ବଦଳିଯାଇଛି ଯୁବତୀଙ୍କ ଜୀବନ। ଆଗରୁ ବାପା ଓ ମା’ଙ୍କୁ ହରାଇ ଏକୁଟିଆ ଜୀବନ ବିତାଉଥିଲେ। ସବୁ ଦୁଃଖକୁ ଭୁଲି ଯାହାର ହାତ ଧରିଲେ ସେ ଆଜି ଜେଲ୍ ରେ। ୨୦ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିବାରୁ କେବେ ଫେରିବେ ଜଣାନାହିଁ। ତେଣୁ ପୁଣି ଏକା ହୋଇଯାଇଛନ୍ତି ଯୁବତୀ। ଅଦାଲତଙ୍କ ଆଦେଶ ଶୁଣି କଇଁ କଇଁ ହୋଇ କାନ୍ଦି ପକାଇଥିଲେ। ତାଙ୍କୁ ଛାଡ଼ି ନ ଯିବା ପାଇଁ ସ୍ବାମୀଙ୍କ ନିକଟରେ ନେହୁରା ହୋଇଥିଲେ। କିନ୍ତୁ ଆଇନ କାନୁନ୍ ଆଗରେ ଏହି ଭାବପ୍ରବଣତାର ମୂଲ୍ୟ କିଛି ନ ଥିଲା। ସକାଳେ ସାଙ୍ଗ ହୋଇ ଦୁହେଁ ଘରୁ ଆସିଥିଲେ ମଧ୍ୟ ଏକଲା ଘରକୁ ଫେରିଥିଲେ ଯୁବତୀ। ଆଉ ଫେରିଲାବେଳକୁ ନିଜ ଉପରେ ଦୋଷ ଲଦୁଥିଲେ। ଏତେ ବଡ଼ ଦୁନିଆରେ ସେ ଏକୁଟିଆ କେମିତି କାହା ସାହାରାରେ ବଞ୍ଚି ରହିବେ। ଏମିତି ଭାବି ଭାବି ତାଙ୍କ ଆଖିରୁ ଲୁହ ଶୁଖୁନି। ତେବେ ବରିଷ୍ଠ ଆଇନଜୀବୀଙ୍କ କହିବା କଥା ପୋକସ ଆଇନ ବଳରେ ବିଚାର କରାଯାଇଥିବାରୁ ଏଭଳି ସଜା ମିଳିଛି। କିନ୍ତୁ ଉପର କୋର୍ଟକୁ ଗଲେ ନିଶ୍ଚିତ କିଛି ସୁଫଳ ମିଳିବ। ସଜା ମଧ୍ୟ ଯଥେଷ୍ଟ କମ ହୋଇ ପାରିବ। ଦେଖା ଯାଉ ପୀଡିତାଙ୍କ ତରଫରୁ ଆଗକୁ କଣ ପଦକ୍ଷେପ ନିଆଯିବ।