କେନ୍ଦୁଝର: ୩ ରୁ ୬ ବର୍ଷ ପିଲାଙ୍କୁ ସପ୍ତାହରେ ଦୁଇଥର ମିଳିବ ମାଣ୍ଡିଆ ଲଡୁ, ଲାଭବାନ ହେବେ ମାଣ୍ଡିଆ ଚାଷୀ ଓ SHG ଗ୍ରୁପ

କେନ୍ଦୁଝର(କେନ୍ୟୁଜ୍): ପ୍ରଥମଥର ପାଇଁ ପ୍ରାକ୍ ସ୍କୁଲ(୩ରୁ ୬ବର୍ଷ) ପିଲାମାନଙ୍କ ଜଳଖିଆରେ  ମାଣ୍ଡିଆ ଲଡୁକୁ ସାମିଲ କରିଛି କେନ୍ଦୁଝର  ଜିଲ୍ଲା ପ୍ରଶାସନ। ଜିଲ୍ଲାର ଇଣ୍ଟିଗ୍ରେଟେଡ୍ ଚାଇଲ୍ଡ ଡେଭଲପମେଣ୍ଟ ସର୍ଭିସେସ୍ (ଆଇସିଡିଏସ୍) ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଉଛି। ଆଜି  ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ।

ଏହାସହିତ ଜିଲ୍ଲାପାଳ କହିଛନ୍ତି ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ରରେ ଶିଶୁ ମାନଙ୍କ ଖାଦ୍ୟ ମେନୁରେ ସପ୍ତାହରେ ଦୁଇଦିନ ମାଣ୍ଡିଆ ଲଡୁ ଦିଆଯିବ। ଯାହା ଦ୍ବାରା ଶିଶୁମାନଙ୍କୁ ଏକ ଉତ୍ତମ ପୃଷ୍ଟିସାର  ମିଳିବା ସହିତ   ଜିଲ୍ଲାର ଜନଜାତିମାନଙ୍କ ପାରମ୍ପରିକ ଖାଦ୍ୟ ପରମ୍ପରାକୁ ପୁନଃ ଥାପନ ହେବ ଓ ମାଣ୍ଡିଆ ଚାଷୀମାନେ ଉଚିତ୍ ମୂଲ୍ୟ ପାଇ ଲାଭବାନ ହେବେ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କର ଆୟର ଉତ୍ସ ଦ୍ବିଗୁଣିତ ହେବ ।

ଯେହେତୁ ଭାତ ତୁଳନାରେ ମାଣ୍ଡିଆରେ ଅଧିକ କ୍ୟାଲିସିୟମ,ଲୌହସାର,ଫାଇବର,ମିନେରାଲସ ଓ ଆଣ୍ଟିଅକ୍ସିଡେଣ୍ଟା ଭରପୁର  ରହିଛି ତେଣୁ  ମାଣ୍ଡିଆ  ଶିଶୁମାନଙ୍କ ପ୍‌ଷ୍ଟିସାର ବଢାଇବରେ ସାହଯ୍ୟ କରିବ। ପ୍ରଥମ ପର୍ଯ୍ୟାୟରେ ୨ ଜୁଲାଇ ୨୦୨୦ରୁ ସଦର ବ୍ଲକର ୩୩୫ଟି ଅଙ୍ଗନବାଡି କେନ୍ଦ୍ରର ନାମ ଲେଖାଯାଇଥିବା  ଶିଶୁମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି ।

ପରେ ଜିଲ୍ଲାର  ୩୨୫୭ଟି ଅଙ୍ଗନବାଡି କେନ୍ଦ୍ରର ସମସ୍ତ ଶିଶୁଙ୍କୁ  ୧ ସେପ୍ଟେମ୍ବର ୨୦୨୦ରୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବା  ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି  ବୋଲି ଜିଲ୍ଲାପାଳ କହିଛନ୍ତି। ଅଭିଜ୍ଞ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏହାକୁ ପ୍ରସ୍ତୁତ କରିବ। ଉଚମାନର ଓ  ସ୍ବାସ୍ଥ୍ୟକର ମାଣ୍ଡିଆ ପ୍ରସ୍ତୁତ ନିମନ୍ତେ  ଆବଶ୍ୟକୀୟ ଯନ୍ତ୍ରାଂଶ ସହ ମାଣ୍ଡିଆ ପ୍ରକ୍ରୀୟାକରଣର ୟୂନିଟ ସ୍ବୟଂ ସହାୟକ ଗୋଷ୍ଠୀ ସ୍ତରରେ ପ୍ରତିଷ୍ଠା କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଠାକରେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.