କଳିଙ୍ଗନଗର ଶିଳ୍ପାଂଚଳରୁ ଷ୍ଟିଲ ଚୋରି କରିଥିବା ୫ ଡକାୟତ ଗିରଫ

ଯାଜପୁର ରୋଡ଼ (କେନ୍ୟୁଜ): କଳିଙ୍ଗନଗର ଶିଳ୍ପାଂଚଳରେ ଜିନ୍ଦଲ ଷ୍ଟେନଲେସ ଷ୍ଟିଲ କମ୍ପାନୀରୁ ଭାଇଜାଗ ଅଭିମୁଖେ ଯାଉଥିବା ଷ୍ଟିଲ ପ୍ଲେଟ ଚୋରି ଅଭିଯୋଗରେ ଯଖପୁରା ପୋଲିସ ୫ ଜଣ ଆନ୍ତରାଜ୍ୟ ଡକାୟତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ସେମାନଙ୍କ ନିକଟରୁ ୮ ବଂଡଲ ଷ୍ଟିଲ ପ୍ଲେଟ, ଟ୍ରଲର, କାର ଜବତ କରାଯାଇଛି ।

ସୂଚନା ମୁତାବକ ଜିନ୍ଦଲ ଷ୍ଟେନଲେସ ଷ୍ଟିଲ କମ୍ପାନୀରୁ ଏକ ଟ୍ରଲର ମାଧ୍ୟମରେ ମୂଲ୍ୟବାନ ୧୩ ବଂଡଲ ଷ୍ଟିଲ ପ୍ଲେଟ ଭାଇଜାଗ ଯାଉଥିଲା । କିନ୍ତୁ ବାଟରେ କେତେକ ଦୁର୍ବୃତ୍ତ ସେହି ଟ୍ରଲରରୁ ମାଲ କାଢି ଅନ୍ୟ ଏକ ଟ୍ରଲରରେ ଲୋଡ଼ କରି ବମ୍ବେରେ ଏକ କମ୍ପାନୀରେ ବିକ୍ରି କରିଦେଇଥିଲେ । ଯାହାର ଆନୁମାନିକ ମୂଲ୍ୟ ୫୮ ଲକ୍ଷ ଟଙ୍କା ହେବ । ଏ ନେଇ କମ୍ପାନୀ ପକ୍ଷରୁ ଯଖପୁରା ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ତନାଘନା ଆରମ୍ଭ କରି ବମ୍ବେରୁ ୫ ଜଣ ଡକାୟତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ସେମାନଙ୍କ ନିକଟରୁ ୮ ବଂଡଲ ଷ୍ଟିଲ ପ୍ଲେଟ ଜବତ ହେବାବେଳେ ଆହୁରି ୫ ବଂଡଲ ଷ୍ଟିଲପ୍ଲେଟ ଜବତ ହୋଇପାରିନାହିଁ । ଏହି ଘଟଣାରେ ଅଧିକ ଅନୁସନ୍ଧାନ ଜାରି ରହିଥିବା ବେଳେ ଆଜି ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦୋରା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.