ଜବତ ହେଲା ତହସିଲ୍‌ଦାରଙ୍କ ୫ଟି ପ୍ୟାନ କାର୍ଡ, ସବୁଥିରେ ବାପା ଅଲଗା

ନିମାପଡା (କେନ୍ୟୁଜ): ଭିଜିଲାନ୍ସ ଜାଲରେ ପଡ଼ିଥିବା ନିମାପଡ଼ା ତହସିଲ୍‌ଦାର ରାମଚନ୍ଦ୍ର ଜେନାଙ୍କ ନାଁରେ ରହିଛି ୫ଟି ପାନ କାର୍ଡ । ୫ଟି ପାନକାର୍ଡରେ ଭିନ୍ନ ଭିନ୍ନ ନମ୍ବର ରହିଛି । ଏହାର ଯାଞ୍ଚ କରାଯାଉଛି । ଅଧିକ ତଦନ୍ତ ପାଇଁ ଆୟକର ବିଭାଗକୁ ପଠାଇଛି ଭିଜିଲାନ୍ସ । ଆଜି ଭୋରରୁ ୪ ଲକ୍ଷ ୬୫ ହଜାର ଟଙ୍କା ସହ ତହସିଲଦାର ରାମଚନ୍ଦ୍ର ଜେନାଙ୍କୁ ଧରିଛି ଭିଜିଲାନ୍ସ । ଭାଇଙ୍କୁ ଡାକି ଟଙ୍କା ତାଙ୍କ ହାତରେ ପଠାଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା । ଭାଇଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ତାଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ସେଲ୍‌ କାର୍ଯ୍ୟାଳୟରେ ରଖାଯାଇ ପଚରାଉଚରା କରୁଛନ୍ତି ଭିଜିଲାନ୍ସ ଅଧିକାରୀ। ରାମଚନ୍ଦ୍ରଙ୍କ ସରକାରୀ ବାସଭବନରୁ ମିଳିଛି ଆଉ ୫୦ ହଜାର ଟଙ୍କା । କଟକ ସିଡିଏ ସେକ୍ଟର-୧୧ ଓ କେନ୍ଦ୍ରାପଡ଼ା ଗରଦପୁରରେ ଚଢ଼ାଉ ଜାରି ରହିଛି । ନିମାପଡ଼ାର ଇନ୍‌ଚାର୍ଜ ସବ୍‌ ରେଜିଷ୍ଟ୍ରାର୍‌ ଅଛନ୍ତି ରାମଚନ୍ଦ୍ର ଜେନା। ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍‌।

ସୂଚନା ଯୋଗ୍ୟ ପୂର୍ବରୁ ମଧ୍ୟ ରାମଚନ୍ଦ୍ର ଜେନାଙ୍କ ନାଁରେ ଦୁଇଟି ଭିଜିଲାନ୍‌ସ କେସ ରହିଛି । ବେଆଇନ ଭାବେ ମୂଲ୍ୟବାନ ଜମିର ବନ୍ଦୋବସ୍ତ ଓ ପଟ୍ଟା ପ୍ରଦାନ ଅଭିଯୋଗରେ ତାଙ୍କ ନାଁରେ ୨୦୧୧ ମସିହାରେ କଟକ ଭିଜିଲାନ୍‌ସରେ ଏକ ମାମଲା ରୁଜୁ ହୋଇଥିଲା । ୨୦୧୬ ମସିହାରେ ଏହି ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇଛି । ମାମଲା ବିଚାରାଧୀନ ରହିଛି । ସେହିପରି କୃଷି ଜମିକୁ ବେଆଇନ ଭାବେ ଅଣକୃଷି ଜମିର କିସମ ପରିବର୍ତ୍ତନ ନେଇ ୨୦୧୮ରେ ଭିଜିଲାନ୍ସ ରାମଚନ୍ଦ୍ରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ରାମଚନ୍ଦ୍ର ଜେନାଙ୍କ ନାଁରେ ରହିଛି ୫ଟି ପାନ୍‌କାର୍ଡ । ଏ ସଂପର୍କରେ ତଦନ୍ତ ପାଇଁ ଆୟକର ବିଭାଗକୁ ପଠାଇଛି ଭିଜିଲାନ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.