ଭଦ୍ରକ ରାଣୀତାଲରେ ଟ୍ରକ ଦୁର୍ଘଟଣା : ୫ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରେ ଉତ୍ତେଜନା

ଭଦ୍ରକ: ରାଣୀତାଲ ଛକରେ ଟ୍ରକ୍‌ ଦୁର୍ଘଟଣାରେ ୫ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରେ ଶୋକାକୂଳ ପରିବେଶ। ଆଜି ସକାଳୁ ୪ ଜଣଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ୪ ଜଣ ଆହତଙ୍କ ମଧ୍ୟରୁ ଜଣେ ଏବେ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ନାଁ ଶୀତଲ ଶାହା ଓ ତାଙ୍କ ଡାହାଣ ଗୋଡ଼ରେ ଆଘାତ ଲାଗିଛି। ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅନ୍ୟ ଆହତ ଛାତ୍ରଛାତ୍ରୀମାନେ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ଗତକାଲି ରାଣୀତାଲ ହାଇସ୍କୁଲର ଛାତ୍ରଛାତ୍ରୀମାନେ ସ୍କୁଲ ଛୁଟି ପରେ ଘରକୁ ଫେରିବାବେଳେ ଦୁର୍ଘଟଣା ଘଟିଥିଲା। ଏକ ୧୦ ଚକିଆ ଟ୍ରକ୍‌ ଛାତ୍ରଛାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ମେଡିକାଲରେ ଜଣଙ୍କ ମୃତ୍ୟୁ ଘଟିଥିଲା। ସମସ୍ତ ମୃତାହତଙ୍କ ଘର ରାହାଞ୍ଜା ଓ ଅସୁରା ଅଞ୍ଚଳରେ। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା।

ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟିକୁ ଜାଳି ଦେବା ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଦୀର୍ଘ ସମୟ ଧରି ୧୬ ନମ୍ବର ଜାତୀୟ ରାଜପଥରେ ଠପ୍‌ ହୋଇଯାଇଥିଲା ଗାଡ଼ି ମୋଟର ଚଳାଚଳ। ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ପାଇଁ ଶେଷରେ ପୋଲିସ ଲାଠି ଚାଳନା କରିଥିଲା। ରାତି ପାଖାପାଖି ସାଢ଼େ ୧୧ଟା ବେଳେ ହଟିଥିଲା ଅବରୋଧ।

You might also like