କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ: ଆଜି ହେବ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ଶେଷକୃତ୍ୟ
ଜନ୍ମମାଟିରେ ଶହୀଦ ଓଡ଼ିଆ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ପାର୍ଥିବ ଶରୀର ପହଞ୍ଚିଛି । ମେଘାଳୟରେ ସନ୍ଦେହଜନକ ଭାବେ ପ୍ରାଣ ହରାଇଥିବା ଓଡ଼ିଆ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ଆଜି ହେବ ଶେଷକୃତ୍ୟ । ପୁରୀ ଜିଲ୍ଲା ଗୋପ ବ୍ଲକ ପୈତୃକ ଗାଁ ମଲ୍ଲଗାଁରେ ତାଙ୍କର ହେବ ଶେଷକୃତ୍ୟ ।

ଗୋପ(କେନ୍ୟୁଜ୍): ଗୋଟେ ପଟେ ସହିଦ ଯବାନ ପ୍ରତାପ ରଞ୍ଜନ ପରିଡ଼ା ଅମର ରହେ, ବନ୍ଦେ ମା ତରମ ନାରାରେ କମ୍ପୁଛି ଅଞ୍ଚଳ ଆଉ ଅନ୍ୟପଟେ ଧର୍ଯ୍ୟହରା ବନ୍ଧୁ ବାନ୍ଧବ ଓ ପରିବାର ଲୋକେ । କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ। ତୁହାକୁ ତୁହା ଚେତାବୁଡି ଯାଉଛି ସ୍ତ୍ରୀଙ୍କର । ଆଉ ଏପଟେ ନିଜ ଭେଣ୍ଡିଆ ପୁଅକୁ ହରାଇ ମା’, ମାଉସୀଙ୍କ ଛାତି ଫାଟିପଡୁଛି। ବାହୁନି ବାହୁନି ଅସମ୍ଭାଳ ହୋଇପଡୁଛନ୍ତି । ତାଙ୍କର ସହିଦ ହେବା ଖବରକୁ ନେଇ ସାଙ୍ଗସାଥି ଠାରୁ ଆରମ୍ଭ କରି ଗ୍ରାମବାସୀ ସଭିଏଁ ଗଭୀର ଭାବେ ମର୍ମାହତ ।
ଏବେ ଜନ୍ମମାଟିରେ ଶହୀଦ ଓଡ଼ିଆ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ପାର୍ଥିବ ଶରୀର ପହଞ୍ଚିଛି । ମେଘାଳୟରେ ସନ୍ଦେହଜନକ ଭାବେ ପ୍ରାଣ ହରାଇଥିବା ଓଡ଼ିଆ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ଆଜି ହେବ ଶେଷକୃତ୍ୟ । ପୁରୀ ଜିଲ୍ଲା ଗୋପ ବ୍ଲକ ପୈତୃକ ଗାଁ ମଲ୍ଲଗାଁରେ ତାଙ୍କର ହେବ ଶେଷକୃତ୍ୟ । ପ୍ରତାପଙ୍କ ଶହୀଦ ହେବା ଖବର ପାଇବା ପରେ ଗୋପ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
୫୨ ବର୍ଷୀୟ ଓଡିଆ ଯବାନ ପ୍ରତାପ ରଞ୍ଜନ ପରିଡ଼ା ସୂଦୁର ମେଘାଳୟ ଓ ବାଂଲାଦେଶ ସୀମା ତୁରା ନିକଟରେ କାର୍ଯ୍ୟରତ ସମୟରେ ଦୁର୍ବୃତ୍ତଙ୍କ ଦ୍ବାରା ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଏକ ଖାତକୁ ଗଳି ପଡିଥିଲେ। ପରେ ତାଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରତାପ ସୀମା ସୁରକ୍ଷା ବାହିନୀର ଗୁଇନ୍ଦା ବିଭାଗରେ ହାବିଲଦାର ମେଜର ଭାବେ କାର୍ଯ୍ୟ କରୁଥିଲେ। ପ୍ରତାପ ଏକ ବାଇକ୍ରେ ସୀମାର ସମସ୍ତ କାର୍ଯ୍ୟକୁ ନୀରିକ୍ଷଣ କରୁଥିବା ସମୟରେ ଏହିଭଳି ଦୁଃଖଦ ଘଟଣା ଘଟିଥିଲା। ସୋସିଆଲ ମିଡିଆରେ ତାଙ୍କର ସହିଦ ହେବା ଖବରକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁ ନଥିଲେ।
ପୁରୀ ଜିଲ୍ଲା ଗୋପ ବ୍ଲକ ବଡତରା ପଂଚାୟତର ମଲ୍ଲଗ୍ରାମରେ ଜନ୍ମିତ ପ୍ରତାପଙ୍କ ସମେତ ତାଙ୍କ ବଡ ଭାଇ ପ୍ରେମ ରଞ୍ଜନ ପରିଡା ମଧ୍ୟ ସେନାରେ କାର୍ଯ୍ୟରତ। ବଡଭାଇ ଜାମସେଦପୁର ଟାଟାରେ କେନ୍ଦ୍ରୀୟ ସୁରକ୍ଷା ବାହିନୀରେ କାର୍ଯ୍ୟରତ ଥିବା ବେଳେ ସାନଭାଇର ସହିଦ ଖବର ପାଇ ନିଜ ଘରେ ପଂହଚିଛନ୍ତି। ପ୍ରତାପ ଙ୍କର ଗୋଟିଏ ଝିଅ ଓ ପୁଅ ଅଛନ୍ତି।
ନିମାପଡା ବିଧାୟକ ସମିର ରଞ୍ଜନ ଦାଶ ଶୋକ ସନ୍ତପ୍ତ ପରିବାରରେ ପଂହଚି ସାନ୍ତ୍ୱନା ଦେବା ସହିତ ସରକାର ତାଙ୍କ ପରିବାର ସହିତ ଅଛନ୍ତି ବୋଲି କହିଛନ୍ତି। ବୀର ସହିଦଙ୍କ ଅନ୍ତିମ ସଂସ୍କାର ନିଜ ଗ୍ରାମରେ କରାଯିବାର ବ୍ୟବସ୍ଥା କରାଯାଇଥିବା ନେଇ ସୂଚନା ରହିଛି। ଏପଟେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର ଅତିରିକ୍ତ ଆରକ୍ଷୀ ଦେବବ୍ରତ ଚକ୍ର ପ୍ରତାପ ମଲ୍ଲଗ୍ରାମ ଉପସ୍ଥିତ ଅଛନ୍ତି । ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।
କୁହାଯାଏ ବୀରର କେବେ ମୃତ୍ୟୁ ହୁଏନି, ସେମାନେ ସବୁବେଳେ ଅମର। ଆଉ ତାଙ୍କ ବୀରତ୍ବର ଗାଥା ଛାପ ଛାଡି ଦେଇ ଯାଏ ଜନସାଧାରଣଙ୍କ ହୃଦୟରେ।