ସରିଲା ମାଁ ବ୍ରାହ୍ମଣୀଦେବୀଙ୍କ ୨୧ ଦିନିଆ ଯାତ୍ରା, ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କୁ ଦେଲେ ଦର୍ଶନ

ଭଞ୍ଜନଗର(କେନ୍ୟୁଜ):ଅସ୍ଥାୟୀ ମଣ୍ଡପରେ ଦର୍ଶନ ଦେଲେ, ନଗର ଭ୍ରମଣ କଲେ ଏବଂ ଭକ୍ତଙ୍କୁ ଆଶୀର୍ବାଦ କରି, ୨୧ ଦିନ ପରେ ନିଜ ଆସ୍ଥାନକୁ ପ୍ରତ୍ୟାବର୍ତ୍ତନ କଲେ । ଆମେ କହୁଛୁ ମାଁ ବ୍ରାହ୍ମଣୀଦେବୀ ଏବଂ ବୁଢୀମାଁ ଠାକୁରାଣୀଙ୍କ କଥା । ପ୍ରତ୍ୟେକ ସଂଧ୍ୟାରେ ଗହଳି ଚହଳି ସାଙ୍ଗକୁ ଶକ୍ତି ଉପାସନାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ସମଗ୍ର ଅଞ୍ଚଳ । ଏ ହେଉଛି ଗଂଜାମ ଜିଲ୍ଲା ଭଞ୍ଜନଗର ସ୍ଥିତ ଭେଜିପୁଟ ମାଁ ବ୍ରାହ୍ମଣୀଦେବୀଙ୍କ ପାରମ୍ପାରିକ ଠାକୁରାଣୀ ଯାତ୍ରା ।

କରୋନା କଟକଣା ଏବଂ ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରାକୁ ସମ୍ମାନ ଜଣାଇ, ଗତ କିଛିବର୍ଷ ହେଲା ଭେଜିପୁଟର ଏହି ସାହି ଯାତ୍ରା ସ୍ଥଗିତ ରହିଥିଲା । ଚଳିତବର୍ଷ ଗତ ୧୭ ତାରିଖରୁ ପୁଣି ଆରମ୍ଭ ହୋଇଥିଲା ମାଁ ବ୍ରାହ୍ମଣୀଦେବୀଙ୍କ ପାରମ୍ପାରିକ ଯାତ୍ରା । ସାହିର ଅଧିଷ୍ଠାତ୍ରୀ ଦେବୀ ମାଁ ବ୍ରାହ୍ମଣୀଦେବୀ ଏବଂ ବୁଢୀମାଁ ଠାକୁରାଣୀଙ୍କୁ, ପାରମ୍ପାରିକ ପଟୁଆରରେ ନିମନ୍ତ୍ରଣ କରି ଅଣାଯାଇଥିଲା । ଅସ୍ଥାୟୀ ମଣ୍ଡପରେ ୨୧ ଦିନ ପର୍ଯ୍ୟନ୍ତ ପୂଜା ପାଇଲେ, ଉଭୟ ଠାକୁରାଣୀ । ପ୍ରତ୍ୟେକ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ, ମୀନାବଜାର ଏବଂ କିଣା-ବିକାରେ ଚଳଚଞ୍ଚଳ ହୋଇ ଉଠିଥିଲା, ଭେଜିପୁଟ ଅଞ୍ଚଳ ।

ଅନ୍ତିମ ଦିନରେ ମାଁଙ୍କ ସିଂହବାହିନୀ ବେଶ, ଘଣ୍ଟ-ମୃଦଙ୍ଗ ବାଜଣା ଏବଂ ପାରମ୍ପାରିକ ପଟୁଆରରେ ନଗର ଭ୍ରମଣ ହୋଇଥିଲା । ଏବଂ ରବିବାର ଦିନ, ଉଭୟ ଠାକୁରାଣୀ ନିଜନିଜ ଆସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ମାଁଙ୍କ ବିଦାୟ ସମୟରେ, ଭାବପ୍ରବଣ ହୋଇପଡ଼ିଥିଲେ, ଶ୍ରଦ୍ଧାଳୁ ।

ସାହି ବାସିନ୍ଦାଙ୍କ ଠାରୁ ଆରମ୍ଭ କରି ବିଶ୍ୱର ମଙ୍ଗଳ ପାଇଁ, ଭେଜିପୁଟ ବାସୀଙ୍କ ଏଭଳି ପ୍ରାର୍ଥନା ଓ ଯାତ୍ରା ଆୟୋଜନ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଭାଇଚାରା ମନୋଭାବ ସୃଷ୍ଟି କରିଛି । ଯାହା ଅନ୍ୟ ମାନଙ୍କପାଇଁ ଏକ ଉଦାହରଣ ସୃଷ୍ଟି କରିଛି, ଭେଜିପଟ୍ ର ଏହି ମାଁ ବ୍ରାହ୍ମଣୀଦେବୀଙ୍କ ଯାତ୍ରା । ଏବେ ଶ୍ରଦ୍ଧାଳୁଙ୍କ ଅପେକ୍ଷା, ପୁଣି ତିନିବର୍ଷ ପରେ ହେବାକୁ ଥିବା ଠାକୁରାଣୀ ଯାତ୍ରାକୁ ।

 

Leave A Reply

Your email address will not be published.