‘ପ୍ରଥମ ୪ ଦିନ କୌଣସି ମନ୍ତ୍ରୀ ନିଜ ଅଫିସ୍‌ ଛାଡ଼ି ବାହାରକୁ ଯିବେ ନାହିଁ’, ଟାସ୍କ ଦେଲେ ପିଏମ୍‌ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ଇନିଂସ୍‌ ଆରମ୍ଭ ହେବା ସହିତ ନୂତନ ସରକାର ତାଙ୍କ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିବା ଜିତନରାମ ମାଞ୍ଝି କହିଛନ୍ତି ଯେ ଏଥର ପୂର୍ବ ଅପେକ୍ଷା ଅଧିକ କଠିନ ପଦକ୍ଷେପ ନେବାକୁ ପଡ଼ିବ । ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତକୁ ବିଶ୍ୱର ତୃତୀୟ ଅର୍ଥବ୍ୟବସ୍ଥାରେ ଆଣିବାକୁ ପ୍ରଧାନମନ୍ତ୍ରୀ ଦୃଢ଼ ସଂକଳ୍ପବଦ୍ଧ । ଏଥିପାଇଁ ମନ୍ତ୍ରୀମାନଙ୍କୁ ଟାସ୍କ ଦିଆଯାଇଛି ।

ମନ୍ତ୍ରୀମାନଙ୍କୁ କୁହାଯାଇଛି ଯେ ସପ୍ତାହର ପ୍ରଥମ ଚାରି ଦିନରେ କୌଣସି ମନ୍ତ୍ରୀ ତାଙ୍କ କାର୍ଯ୍ୟାଳୟ ଛାଡି ଯିବେ ନାହିଁ । ମାଞ୍ଝି କହିଛନ୍ତି କି, ପ୍ରଧାନମନ୍ତ୍ରୀ ଆମକୁ ସୋମବାର, ବୁଧବାର, ମଙ୍ଗଳବାର ଏବଂ ଗୁରୁବାର, ଏହି ୪ ଦିନ ମୁଖ୍ୟାଳୟ ଛାଡ଼ି କେଉଁଆଡ଼େ ନ ଯିବାକୁ ଟାସ୍କ ଦେଇଛନ୍ତି । ସରକାରୀ କାର୍ଯ୍ୟ ରହିଛି, ସେଥିରେ ଆମେ ନିୟୋଜିତ ହେବୁ, ଏହାପରେ ନିଜ ଅଞ୍ଚଳକୁ ଯିବୁ ।

କହି ରଖୁଛୁ ଯେ ୭୯ ବର୍ଷୀୟ ଜିତନରାମ ମାଞ୍ଝି ମୋଦି କ୍ୟାବିନେଟ୍‌ର ସବୁଠାରୁ ବୟଜ୍ୟେଷ୍ଠ ମନ୍ତ୍ରୀ । ସେ ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ମାଞ୍ଝି ବିହାରର ୨୩ତମ ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି ଏବଂ ହିନ୍ଦୁସ୍ତାନୀ ଆୱାମ ମୋର୍ଚା (HAM)ର ହେଉଛନ୍ତି ପ୍ରତିଷ୍ଠାତା ଅଧ୍ୟକ୍ଷ ।

ଏହାପୂର୍ବରୁ ସେ ନୀତୀଶ କୁମାରଙ୍କ ମନ୍ତ୍ରୀମଣ୍ଡଳରେ ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ ମନ୍ତ୍ରୀ ଥିଲେ । ୨୦୨୪ ସାଧାରଣ ନିର୍ବାଚନରେ ଗୟା ଆସନରୁ ସେ ବିଜୟ ହାସଲ କରିଛନ୍ତି । ଅନ୍ୟ ଯୁବ ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ଚିରାଗ ପାସୱାନ୍ ଓ ଜୟନ୍ତ ଚୌଧୁରୀ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୭୧ ଜଣ ମନ୍ତ୍ରୀ ରବିବାର ଶପଥ ଗ୍ରହଣ କରିଛନ୍ତି । ଏଥର ମୋଦି ସରକାରରେ କିଛି ନୂଆ ଚେହେରାଙ୍କୁ ସୁଯୋଗ ଦିଆଯାଇଛି । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ପ୍ରଥମ ଥର ପାଇଁ କେନ୍ଦ୍ର ମନ୍ତ୍ରୀ କରାଯାଇଛି । ଏହିପରି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମୋଦି କ୍ୟାବିନେଟ୍‌ରେ ଜଣେ ନୂଆ ଚେହେରା । ଏହା ସହିତ ମନ୍ତ୍ରୀମଣ୍ଡଳରେ ୧୮ ଜଣ ବରିଷ୍ଠ ନେତାଙ୍କୁ ମଧ୍ୟ ସ୍ଥାନ ମିଳିଛି ।

Leave A Reply

Your email address will not be published.